କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଜାରି ରହିଥିବା ଆଇନଗତ ଲଢେଇ କ୍ରମରେ ଆଜି (ଶୁକ୍ରବାର) ପ୍ରଥମଥର ଲାଗି କୋର୍ଟରେ ହାଜର ହୋଇଥିଲେ ଅନୁଭବ ମହାନ୍ତି । କଟକ SDJM ଙ୍କ କୋର୍ଟରେ ହୋଇଥିବା ଏହି ଶୁଣାଣି ସମୟରେ ଅନୁଭବ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଥିଲେ ।
ତେବେ ଏହି ଅବସରରେ ସେ ଯିଏ ଦୋଷୀ, ତାଙ୍କୁ ଦାଣ୍ଡ ମିଳୁ ବୋଲି ଗଣମାଧ୍ୟମକୁ କହିଲେ ଅନୁଭବ । ତେବେ କୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି । ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ସେହିପରି ନୂଆବର୍ଷ ଅବସରରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଆଜି ଏହାର ଶୁଣାଣି ସମୟରେ ଅନୁଭବ କୋର୍ଟରେ ହାଜର ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି କୋର୍ଟଙ୍କୁ ପାର୍ଥନା କରିଥିଲେ ।
କଟକ SDJMଙ୍କ କୋର୍ଟରେ ପତ୍ନୀ ବର୍ଷା ପ୍ରିୟ ଦର୍ଶିନୀ ଦାଏର କରିଥିବା ଘରୋଇ ହିଂସା ମାମଲାରେ କୋର୍ଟରେ ହାଜର ହେଲେ ସ୍ୱାମୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏହାସହ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଏହି ସତ୍ୟପାଠ ଜରିଆରେ ବର୍ଷା ଅନୁଭବ ବିରୋଧରେ ଆଣି ଥିବା ସମସ୍ତ ଅଭିଯୋଗର ଜବାବ ରଖିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହା ବ୍ୟତୀତ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁ ନାହିଁ । ମୁଁ ମାନସିକ ଭାବେ ଆଘାତ ପ୍ରାପ୍ତ ହୋଇଛି । ତେଣୁ ମୋତେ ଏହି ଜଞ୍ଜାଳରୁ ମୁକ୍ତି ଦିଅନ୍ତୁ ବୋଲି ଯୋଡ଼ହସ୍ତରେ ବିଚାରପତିଙ୍କୁ ନେହୁରା ହୋଇଥିଲେ ଅନୁଭବ ।
ତେବେ କୋର୍ଟରୁ ବାହାରିବା ସମୟରେ ଗଣମଧାମରେ ଆଗରେ ପ୍ରତିକ୍ରିୟା ରଖି ଯିଏ ଦୋଷୀ ସେ ଦଣ୍ଡ ପାଉ ବୋଲି କହିଥିଲେ ଅନୁଭବ । ଏହି ଷ୍ଟାର ଦମ୍ପତି ପରସ୍ପର ବିରୋଧରେ ମୋଟ ୫ ଟି ମାମଲା ଦାଏର କରିଛନ୍ତି । ପ୍ରଥମ ମାମଲାଟି ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବା ନେଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଏର କରିଥିଲେ । ଏହାର କିଛିଦିନ ପରେ ବର୍ଷା ଅନୁଭବ ବିରୁଦ୍ଧରେ ଘରୋଇ ହିଂସା ଓ ଭରଣ ପୋଷଣ ନେଇ ଦୁଇଟି ମାମଲା କଟକ SDJM ଙ୍କ କୋର୍ଟରେ ଦାଏର କରିଥିବା ବେଳେ ସେ ଅନୁଭବଙ୍କ ସହିତ ବିବାହ ବନ୍ଧନରେ ରହିବାକୁ ଚାହୁଁନଥିବା ଦର୍ଶାଇ କଟକ ପରିବାର ଅଦାଲତରେ ମଧ୍ୟ ଏକ ମାମଲା ରୁଜୁ କରିଥିଲେ ।
ସମସ୍ତ ମାମଲାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ ମଧ୍ୟ ଅନୁଭବଙ୍କ ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତିନିଦିନ ତଳେ ବର୍ଷା ରାଜ୍ୟ ମହିଳା କମିଶନଙ୍କ ଦ୍ବାରସ୍ତ ହୋଇଥିବା ବେଳେ ମହିଳା କମିଶନଙ୍କ ଏହି ମାମଲାର ଆପସ ସମାଧାନ କରାଯିବା ପାଇଁ ଉଦ୍ୟମ କରାଯିବା ସୁଚନା ଦେଇଥିଲେ । ଏହା ସହିତ ବର୍ଷାଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉଭୟଙ୍କ ମଧ୍ୟରେ ଆପସ ବୁଝାମଣା କରିବା ପାଇଁ ଜଣେ ମଧ୍ୟସ୍ଥିଙ୍କୁ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ସେହି ନିର୍ଦ୍ଦେଶ ପରେ ଭର୍ଚ୍ଚୁଆଲ୍ ପ୍ଲାଟଫର୍ମରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ସହ ମଧ୍ୟସ୍ଥି ଅନେକ ଥର ଆଲୋଚନା ମଧ୍ୟ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ