କଟକ: ହାଇକୋର୍ଟରେ ଜାମିନ ଆବେଦନ କଲେ ଜଗବନ୍ଧୁ ଚାନ୍ଦ (Jagabandhu Chand । ତଳ କୋର୍ଟରେ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଜଗବନ୍ଧୁ । ଜଗବନ୍ଧୁ ହେଉଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ । ଜଗବନ୍ଧୁ ଏବେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି । ଜଗବନ୍ଧୁଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରହିଛି ।
ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଅର୍ଚ୍ଚନା ଗିରଫ ହୋଇଥିବା ମାମଲାରେ ଅନ୍ୟତମ ସହଯୋଗୀ ଥିଲେ ଜଗବନ୍ଧୁ । ଅର୍ଚ୍ଚନା କେଳେଙ୍କାରୀକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଅର୍ଚ୍ଚନାଙ୍କ ଗିରଫ ହେବାର ୧୫ ଦିନ ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଥିଲା । ଅର୍ଚ୍ଚନା ଲିଙ୍କରେ ଅଛନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ନେତା । ସୂଚନା ଥାଉକି, ଅର୍ଚ୍ଚନା କେଳେଙ୍କାରୀରେ ସାମିଲ ଥିବା ନେତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ତାଲିକା କରିବାକୁ ଦାବି ଜୋର ଧରିଛି । ତା ସହିତ ଅର୍ଚ୍ଚନା ସ୍କାଣ୍ଡାଲ୍ ତଦନ୍ତ ନେଇ ପୋଲିସ ଉପରେ ଶାସକ ଦଳ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ
ବ୍ଲାକମେଲର ଅର୍ଚ୍ଚନାଙ୍କ ସହିତ ବଡ ବଡ ନେତାଙ୍କ ଫଟୋ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ ଅଟକିଥିଲା । ପୋଲିସ ଏପର୍ଯ୍ୟନ୍ତ କୌଣସି ନେତାଙ୍କୁ ପଚରାଉଚରା କରିନାହିଁ । ବିନା ବଡ ବଡ଼ିଆଙ୍କ ସହାୟତାରେ ଭୁବନେଶ୍ବରରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ସହଜ ନୁହେଁ ବୋଲି କହୁଛନ୍ତି ବିରୋଧୀ । ହାଇପ୍ରୋଫାଇଲ ଲେଡି ଅର୍ଚ୍ଚନା କେଳେଙ୍କାରୀର ଗୁମର ଖୋଲିବା ଲାଗି ଏବେ ତଦନ୍ତ ଭାର ହାତକୁ ନେଇଛି ଇଡି । ସେପଟେ ଅର୍ଚ୍ଚନାଙ୍କୁ ମଧ୍ୟ ୭ଦିନିଆ ରିମାଣ୍ଡରେ ନେଇ ଇଡି ତଥ୍ୟ ଉଗାଳିବାକୁ ଚେଷ୍ଟା କରୁଛି ।
ଇଟିଭି ଭାରତ, କଟକ