ନିଆଳି: ଗାଡି ସୋରୁମରେ ବ୍ୟାଟେରୀ ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ । ଗାଡି ସମେତ ସୋରୁମର ସମସ୍ତ କାଗଜପତ୍ର ପୋଡ଼ି ପାଉଁଶ । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ । ନିଆଳିର ନୂଆଗାଁ ସ୍ଥିତ ମା' ତାରିଣୀ ରେୟାନ୍ସ ହିରୋ ମୋଟର୍ସ ଇଲେକ୍ଟ୍ରୋନିକ ଗାଡ଼ି ଶୋ' ରୁମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚାନାନୁଯାୟୀ, ଆଜି ଦିନ ତିନିଟା ସମୟରେ ମା' ତାରିଣୀ ରେୟାନ୍ସ ଇଲେକ୍ଟ୍ରୋନିକ ଗାଡ଼ି ଶୋ' ରୁମ୍ରେ ଅଗ୍ନିକାଣ୍ଡ ଘଟିଥିଲା । ଗାଡ଼ି ବ୍ୟାଟେରୀ ଫାଟି ଯିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଶୋ' ରୁମର କର୍ମଚାରୀ କହିଛନ୍ତି । ସୋରୁମରୁ ବ୍ୟାପକ ଧୂଆଁ ବାହାରିବା କରଣରୁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଲୋକେ ଧୂଆଁ ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ନୂଆଗାଁ ପଞ୍ଚାୟତର ସରପଞ୍ଚ ଜ୍ୟୋତିରଞ୍ଜନ ମଲ୍ଲିକ ନିଆଳି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟକୁ ଫୋନ କରି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । କିନ୍ତୁ ସେତେବେଳେକୁ ଶୋ' ରୁମ୍ରେ ଥିବା ଗାଡ଼ି ପୋଡି ପାଉଁଶ ହେବା ସହ ଶୋ' ରୁମ୍ର ଅନ୍ୟ କାଗଜପତ୍ର ମଧ୍ୟ ପୋଡ଼ି ପାଉଁଶ ହୋଇ ଯାଇଥିଲା ।
ସୋରୁମର କର୍ମଚାରୀଙ୍କ ସୂଚନାନୁଯାୟୀ, ଏକ ବ୍ୟାଟେରୀ ଚାଳିତ ଗାଡି ଛ' ମାସ ତଳେ ବିକ୍ରି କରାଯାଇଥିଲା । ଉକ୍ତ ଗାଡ଼ିର ବ୍ୟାଟେରୀ ଖରାପ ଥିବାରୁ ଗାଡ଼ିର ମାଲିକ ବ୍ୟାଟେରୀକୁ ପରିବର୍ତ୍ତନ ପାଇଁ ଦେଇଥିଲେ । ବ୍ୟାଟେରୀକୁ ଠିକ୍ କରିବା ପାଇଁ ଶୋ'ରୁମରେ ରଖାଯାଇଥିଲା । କିନ୍ତୁ ପ୍ରଥମେ ବ୍ୟାଟେରୀରୁ ଧୂଆଁ ବାହାରିବା ପରେ ବ୍ୟାଟେରୀଟି ଫାଟି ଯାଇ ନିଆଁ ଲାଗିଥିଲା । ଏହାସହ ପାଖରେ ଥିବା ସୋରୁମର ଅନ୍ୟଗଡିକୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା । ସଠିକ ସମୟରେ କର୍ମଚାରୀମାନେ ଶୋ' ରୁମରୁ ପଳାଇଥିଲେ । ଫଳରେ କୈଣସି ଅଘଟଣ ଘଟିବାରୁ ବର୍ତ୍ତିଯାଇଛି । ଅନ୍ୟପଟେ ଶୋ' ରୁମ୍ରେ ନୂଆ ବାଇକ ନଥିବା କାରଣରୁ ଶୋ' ରୁମର ମାଲିକ ଏକ ବଡ କ୍ଷତିରୁ ରକ୍ଷା ପାଇଯାଇଛନ୍ତି ।
କିନ୍ତୁ ବ୍ୟାଟେରୀ ଗାଡ଼ି କେତେ ଭୟଙ୍କର ଏହା ତାହାର ଉଦାହରଣ । ସାଧାରଣ ଲୋକେ ଏବେ ବ୍ୟାଟେରୀ ଚାଲିତ ଗଡି କିଣିବାକୁ ଭୟ କରୁଛନ୍ତି । ଗ୍ରାହାକମାନେ ଅଭିଯୋଗ କରିଛନ୍ତି, ଯେବେ ଠାରୁ ବ୍ୟାଟେରୀ ଗାଡ଼ି ବଜାରକୁ ଆସିଛି ସେବେଠାରୁ ରାସ୍ତା ହେଉ କିମ୍ବା ଶୋ' ରୁମ୍ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସୁଛି । ଯାହାଫଳରେ ବ୍ୟାଟେରୀଗୁଡିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
ଇଟିଭି, ଭାରତ ନିଆଳି