ନିଆଳି : କଟକ ଜିଲ୍ଲା ନିଆଳି ହାଇସ୍କୁଲ ପଡ଼ିଆରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ମନ୍ତ୍ରୀ, ସାଂସଦ, ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ଏହାସହିତ ଆଗାମୀ ୨୫ ବର୍ଷ ଯାଏଁ ରାଜ୍ୟରେ ବିଜେଡ଼ି ଶାସନ କରିବ ବୋଲି କହିଥିଲେ ।
ଏ ସମ୍ପର୍କରେ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ସମଗ୍ର ରାଜ୍ୟ, ଦେଶ ଓ ବିଶ୍ବରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ଏହି ବିଜୁ ଜନତା ଦଳ ଏକ ଦଳ ନୁହେଁ । ଏହା ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତି ବର୍ଗକୁ ଓ ପ୍ରତି ଶ୍ରେଣୀକୁ ସମସ୍ତ ପ୍ରକାରର ବ୍ୟବସ୍ଥା ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି । ତେଣୁ ଏହା ଏକ ଖାଲି ଦଳ ନୁହେଁ ସବୁ ଲୋକଙ୍କୁ ସାଙ୍ଗରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ଯେଉଁମାନେ ବିଜୁ ଜନତା ଦଳରେ ମିଶିବାକୁ ଚାହୁଁଛନ୍ତି, ଭଲ କାମ କରିବାକୁ ଚାହୁଁଛନ୍ତି ସେମାନେ ଆଗେଇ ଆସନ୍ତୁ, ଏ ଦଳରେ ଯୋଗ ଦିଅନ୍ତୁ ।''
ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ଦେବୀ ମିଶ୍ର ଏବଂ ନିଆଳି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ବିଜେଡି କର୍ମୀ ଓ ମହିଳାମାନେ ଯୋଗଦେଇଥିଲେ । ସେହିପରି ଆଜି କଟକରେ ମଧ୍ୟ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।
ଏହାମଧ୍ୟ ପଢ଼ନ୍ତୁ. ଶ୍ରୀୟାଙ୍କ ଆରୋପ ପରେ ମୁଁହ ଖୋଲିଲେ ହ୍ୟୁମାନ, କହିଲେ ମିଛ ଅଭିଯୋଗ କରିବା ସମାଧାନର ରାସ୍ତା ନୁହେଁ
ଏଥିରେ ମାହାଙ୍ଗା ବିଧାୟକ କହିଛନ୍ତି ''ବିଜୁ ଜନତା ଦଳ ୨୫ ବର୍ଷ ପୂରଣ କରିଛି ଏବଂ ଆମେ 26ତମ ପ୍ରତିଷ୍ଠା ଦିବସ ପାଳନ କରୁଛୁ । ନିକଟରେ କଟକ ସହରରେ ଅର୍ବାନ ଇଲେକସନରେ କଟକ ସହରରେ ବିଜୁ ଜନତା ଦଳ ବହୁତ ସଫଳତା ସହ ନିର୍ବାଚନ ଲଢିଥିଲା । ବିଜୁ ଜନତା ଦଳ ସଂଗଠନକୁ ଆମେ ମଜଭୁତ କରିବା ସହିତ କଟକ ସହରକୁ ଏକ ନୂଆ ରୂପରେଖ ଦେବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ରହିଛି । ଆମର ପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଏହି ଜନ୍ମସ୍ଥାନକୁ ଅଧିକରୁ ଅଧିକ ଉନ୍ନତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ସହଯୋଗ ରହିଛି । ହଜାର ବର୍ଷ ପୂରୁଣା କଟକ ସହର ଆଜି ଗୋଟିଏ ନୂଆ ରୂପ ନେବାକୁ ଯାଉଛି । ତେବେ ଆଜି ଏଠାରେ ଯେଉଁ ଆୟୋଜିତ ହୋଇଛି ପ୍ରତିଷ୍ଠା ଦିବସ ତାହା ଏକ ପ୍ରତିଷ୍ଠା ଦିବସ ନୁହେଁ ତାହା ଆମ ପାଇଁ ଏକ ସଂକଳ୍ପ ଦିବସ ।''
ଇଟିଭି ଭାରତ, ନିଆଳି