କଟକ: ଅର୍ଚ୍ଚନା ମାମଲାରେ ED ଏଣ୍ଟ୍ରି । ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ED investigates Archana Nag case) । ତେବେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରି ଥିବା ବେଳେ ଅର୍ଚ୍ଚନାଙ୍କ ବେଆଇନ ତଥା ପାପ ଅର୍ଜିତ ସମ୍ପତ୍ତିର ପୁରା ତାଲିକା ଇଡ଼ି ହାତରେ ଲାଗିବ ବୋଲି ଆଲୋଚନା ହୋଇଛି । ତଦନ୍ତ ହେବା ପରେ ଏଥିରେ ସମ୍ପୃକ୍ତ ଥିବା ବହୁ ବଡ଼ବଡ଼ିଆ ଫସିବେ ବୋଲି କହିଛନ୍ତି ଆଇନଜୀବୀ ଅରୁଣ ବୁଦ୍ଧିଆ ।
କେବଳ ନଗଦ କାରବାରକୁ ବାଦ ଦେଲେ ବ୍ୟାଙ୍କ ଜରିଆରେ ଅର୍ଚ୍ଚନାଙ୍କ ଦ୍ବାରା ହୋଇଥିବା ବିଭିନ୍ନ ଟ୍ରାଞ୍ଜାକ୍ସନ ବାବଦରେ EDକୁ ଠୋସ ପ୍ରମାଣ ମିଳିବ ଏବଂ ସେହି ଅର୍ଥକୁ କେଉଁମାନେ ଓ କାହିଁକି ଅର୍ଚ୍ଚନାଙ୍କୁ ଦେଇଥିଲେ ଏବଂ ଅର୍ଚ୍ଚନା ସେହି ଅର୍ଥକୁ କେଉଁ ସ୍ଥାନରେ ବିନିଯୋଗ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନଜୀବୀ । ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଯେଉଁ ବ୍ୟକ୍ତି ମାନେ କୋଟି କୋଟି ଟଙ୍କା ଦେଉଥିଲେ ସେମାନଙ୍କର ଏହା ସ୍ବଉପାର୍ଜିତ ଧନ ନା ବେଆଇନ ଭାବରେ ରୋଜଗାର କରିଛନ୍ତି ?
ଏହା ବି ପଢନ୍ତୁ- ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?
ଯଦି ବେଆଇନ ଭାବରେ ସମ୍ପୃକ୍ତ ବ୍ୟକ୍ତି ରୋଜଗାର କରିଥିବେ ତେବେ ସେସବୁର ବି ତଥ୍ୟ ସଂଗ୍ରହ କରିବ ED । ଆଉ ଯିଏ ବି ଦେଉଥିଲା ଏସବୁ ବେଆଇନ ଭାବରେ କାହିଁକି ଦେଉଥିଲା ? ସମ୍ପୃକ୍ତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ED ହାତରେ ଲାଗିବ । କେବଳ ସେତିକି ନୁହେଁ ଯଦି ବେଆଇନ ବୋଲି ଜଣାପଡେ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆଇନଜୀବୀ କହିଛନ୍ତି ।
ଯଦି ED ସଠିକ ଭାବରେ ଘଟଣାର ତଦନ୍ତ କରେ, ତେବେ ଅନେକ ବଡ଼ ବଡ଼ିଆ ଏହା ଦ୍ବାରା ଫସି ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଅର୍ଚ୍ଚନାଙ୍କ ସହ କେବଳ ସେହିମାନେ ହିଁ ସମ୍ପର୍କ ରଖୁଥିଲେ । ଆଉ ଅର୍ଚ୍ଚନା ସେଇମାନଙ୍କୁ ହିଁ ତାର ଫାଶରେ ଫସାଉଥିଲା । ଆଉ କେଉଁ ବଡ଼ବଡ଼ିଆ ଏଥିରେ ସମୃକ୍ତ ଅଛନ୍ତି ତାର ବି ତଥ୍ୟ ପଦାକୁ ଆସିଯିବ ବୋଲି ଆଇନଜୀବୀ କହିଛନ୍ତି ।
ଇଟିଭି ଭାରତ, କଟକ