କଟକ: ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଏବେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେଇଆ ମନ୍ମଥ କୁମ୍ଭ । ତିନି ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ତଥା ଏନବିଡବ୍ଲୁ ଜାରି କରିଛନ୍ତି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ । ଆସନ୍ତା ୭ ତାରିଖରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମତ ରଖିଛନ୍ତି ସୌମ୍ୟଙ୍କ ବାପାଙ୍କ ଓକିଲ ପାର୍ଥ ସାରଥୀ ନାୟକ ।
କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ଜାହିର କରି ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର। ଯାହାର ଶୁଣାଣିରେ ୩ ଅଭିଯୁକ୍ତଙ୍କୁ ସମନ ଜାରି କରିଥିଲେ କୋର୍ଟ। ହେଲେ ସେମାନେ କୋର୍ଟରେ ହାଜର ନହେବା ପାଇଁ ଆଉ ଏକ ପିଟିସନ କୋର୍ଟରେ ଦାଖଲ କରିଥିଲେ। ଯାହାକୁ କୋର୍ଟ ଖାରଜ କରି ୩ ଜଣଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି । ଅନ୍ୟପଟେ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ହାଇକୋର୍ଟରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରି ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।
ଏହା ବି ପଢନ୍ତୁ- ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 3 ଅଭିଯୁକ୍ତଙ୍କ ବିରୁଦ୍ଧରେ NBW ଜାରି
ଅନ୍ତରୀଣ ନିର୍ଦ୍ଦେଶ ଆସିବା ପରେ ଉଭୟ ପ୍ରତିପକ୍ଷ ରାଜ୍ୟ ସରକାର ଓ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉ କି ଏସିଏଫ ସୌମ୍ୟଙ୍କ ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିବା ସହ ପୁଅକୁ ହତ୍ୟା କରାଯାଇଥିବା ନେଇ ତଳକୋର୍ଟରେ ଆବେଦନ କରିଥିଲେ । ତେବେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ସୌମ୍ୟ, ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଥିଲେ। ଏହାପରେ ବିଦ୍ୟା ଓ ଡିଏଫଓ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
୨୦୨୧ ମସିହା ଜୁଲାଇ ୧୨ ତାରିଖ ରାତିରେ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ କ୍ବାଟରରେ ବନ ବିଭାଗରେ କାର୍ଯ୍ୟରତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ଏହାର ପରବର୍ତ୍ତୀ ଦିନ ଅର୍ଥାତ ଜୁଲାଇ ୧୩ ତାରିଖ ଦିନ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଙ୍କ ବାପା ଅଭିରାମଙ୍କ ଏତଲାକୁ ଆଧାର କରି ପାରଳାଖେମୁଣ୍ଡି ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏହି ଘଟଣାକୁ ତଦନ୍ତ କରିଥିଲେ । ତେବେ ୨୦୨୨ ମସିହାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରୁ କ୍ଲିନଚିଟ ମିଳିଥିଲା । ଯାହାକୁ ନେଇ ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଇଟିଭି ଭାରତ, କଟକ