କଟକ: ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନକୁ ଆସନ୍ତା ଡିସେମ୍ବର ସୁଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ । ଏହି ଆକ୍ସନ ପ୍ଲାନରେ ଥିବା କେତେକ ପ୍ରସଙ୍ଗରେ ଡିସେମ୍ବର ସୁଧା ସଫଳ ରୂପାୟନ କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଯାଇଛି । ଆସନ୍ତା ଜାନୁଆରୀ ୧୮ ସୁଧା ଆକ୍ସନ ପ୍ଲାନ ରିପୋର୍ଟ ଦେବ ଜଏଣ୍ଟ ଟାସ୍କ ଫୋର୍ସ ।
ରାଜ୍ୟର ସମସ୍ତ ହାତୀ କରିଡରକୁ ଚିହ୍ନଟ କରାଯିବ । ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳରେ ଏହି କରିଡର ଗୁଡ଼ିକୁ ଚିହ୍ନଟ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷା ପ୍ରସଙ୍ଗରେ ସଚେତନ କରାଯିବ । ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ । ଏନେଇ ବିଦ୍ୟୁତ ବିତରଣ କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି । ରେଳବାଇ ସହ ଆଲୋଚନା କରି ହାତୀ କରିଡ଼ରରେ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜଏଣ୍ଟ ଟାସ୍କ ଫୋର୍ସ (Joint Task Force) ସତ୍ୟପାଠରେ ଦର୍ଶାଯାଇଛି । ଜଏଣ୍ଟ ଟାସ୍କ ଫୋର୍ସରେ ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ଏବଂ ଡକ୍ଟର ବିଶ୍ୱଜିତ ମହାନ୍ତିଙ୍କୁ ସାମିଲ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଜେଟିଏଫ ଦ୍ଵାରା ପ୍ରସ୍ତୁତ ଆକ୍ସନ ପ୍ଲାନ ବିଷୟ ଗୁଡ଼ିକ ଉପରେ କେତେଦୂର କାର୍ଯ୍ୟ କରାଯାଇଛି ସେ ନେଇ ଜଣେଇବା ପାଇଁ କୋର୍ଟ କହିଛନ୍ତି ।
ଅନ୍ୟପଟେ ହାତୀ ଶିକାରକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ହାତୀ ଶିକାରକୁ ନେଇ ଦାୟର ସମସ୍ତ ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ନେବାକୁ ଜେଟିଏଫ ସଦସ୍ୟ ତଥା ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜେଟିଏଫର ସମସ୍ତ ସଦସ୍ୟ ଆଜି ଭିସି ଜରିଆରେ ଉପସ୍ଥିତ ଥିଲେ । ଏହା ସହ ଭିସି ଜରିଆରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡାକ୍ତର ସୁକୁମାର ଅନେକ ପରାମର୍ଶ ଦେଇଥିଲେ । ଆସନ୍ତା ଜାନୁଆରୀ ୧୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ହାତୀଙ୍କ ସୁରକ୍ଷା ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର କମୁନାହିଁ ହାତୀ ମୃତ୍ୟୁ । ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟ ଗୁରତ୍ୱର ନେଇଛନ୍ତି । ହାତୀ ସୁରକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ, ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ କରିବାକୁ ପୂର୍ବ ଶୁଣାଣିରେ କ୍ରାଇମବ୍ରାଞ୍ଚ ଏଡିଜି ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାତୀ ମୃତ୍ୟୁ ଘଟଣାରେ କେତେଗୋଟି ଫୌଜଦାରୀ ମାମଲା ରୁଜୁ କରାଯାଇଛି ? କେତେ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ? ଗିରଫ ପରେ ମାମଲାର କଣ ଅଗ୍ରଗତି କରାଯାଇଛି ? ସେନେଇ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଗଠନ କରିଥିବା JTF (ଜଏଣ୍ଟ ଟାକ୍ସଫୋର୍ସ) ର ଅତିରିକ୍ତ ଏସପିଙ୍କୁ ସତ୍ୟପାଠ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବିଶେଷକରି ହାତୀ ମୃତ୍ୟୁ ରୋକିବା ପାଇଁ କଣ କଣ ଆକ୍ସନ ପ୍ଲାନ କରାଯାଇଛି ? ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ହାତୀ ଶିକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷବ୍ୟକ୍ତ କରିଥିଲେ । ମାମଲାରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ ୱାଇଲଡ ଲାଇଫ) ଦାଖଲ କରିଥିବା ସତ୍ୟପାଠରେ ଗତ ୫ ବର୍ଷରେ ହାତୀ ଶିକାର ନେଇ ୧୪ଟି ମାମଲା ରୁଜୁ ହୋଇଥିବା ଦର୍ଶାଯାଇଥିଲା । ଏଥିରୁ ମାତ୍ର ଗୋଟିଏ ମାମଲାରେ ଅଦାଲତରେ ଟ୍ରାଏଲ ଆରମ୍ଭ ହୋଇଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ । ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ । ଏଥି ସହିତ ଗୁଳିମାଡରେ ହାତୀ ମୃତ୍ୟୁ ମାମଲାରେ ବେଆଇନ ବନ୍ଧୁକ ବ୍ୟବହାର ହେଉଥିଲେ ମଧ୍ୟ ଆର୍ମସ ଆକ୍ଟରେ କାହିଁକି ଗୋଟିଏ ବି ମାମଲା ରୁଜୁ ହୋଇ ନାହିଁ ସେନେଇ ମଧ୍ୟ ବନ ବିଭାଗ ତରଫରୁ କୌଣସି ସନ୍ତୋଷଜନକ ଜବାବ ମିଳି ନଥିଲା । ଏଭଳି ସ୍ଥିତିରେ ହାଇକୋର୍ଟ କହିଥିଲେ ଯେ ରାଜ୍ୟରେ ବିଗତ କିଛି ଦିନରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ବିଷୟ । ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯିବା ଉଚିତ । ବହୁ କ୍ଷେତ୍ରରେ ବନ୍ଧୁକ ଗୁଳିରେ ହାତୀ ମୃତାହତ ହେଉଥିବା ଦେଖା ଯାଉଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ମସ ଆକ୍ଟ କିନ୍ତୁ ମାମଲାରେ ପ୍ରୟୋଗ କରାଯାଉ ନାହିଁ ବୋଲି ହାଇକୋର୍ଟ କହିଥିଲେ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଏବଂ ଆର୍ମସ ଆକ୍ଟ ସମେତ ଅନ୍ୟ ଆଇନ କଡାକଡି କାର୍ଯ୍ୟକାରୀ ପାଇଁ ଆଇନ କାର୍ଯ୍ୟକାରୀ ବ୍ୟବସ୍ଥାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୬ ରେ ପିସିସିଏଫ ଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗଲା ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତ୍ତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା । ଜୁଲାଇ ୨୫ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ପିସିସିଏଫଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୫ ବର୍ଷରେ ପ୍ରତ୍ୟେକ ହାତୀ ଶିକାର ଘଟଣାର ବିସ୍ତୃତ ବିବରଣୀ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଥିଲେ । ହାତୀ ଶିକାର ଘଟଣାର ସ୍ଥାନ/ଅଞ୍ଚଳ, ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥା ଏତଲା ପଞ୍ଜୀକରଣ, ସନ୍ଦିଗ୍ଧଙ୍କ ତାଲିକା, ଗିରଫ ଅଭିଯୁକ୍ତଙ୍କ ବିବରଣୀ, ଦାଖଲ କରାଯାଇଥିବା ଚାର୍ଜସିଟ, କେଉଁ ଅଦାଲତରେ ମାମଲା ବିଚାରାଧୀନ ରହିଛି, ଟ୍ରାଏଲର ଷ୍ଟାଟସ୍, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଥିଲେ । ୱାଇଲ୍ଡ ଲାଇଫ କ୍ରାଇମ ସେଲ ପ୍ରସଙ୍ଗରେ ମଧ୍ୟ ତଥ୍ୟ ଦେବାକୁ ହାଇକୋର୍ଟ କହିଥିଲେ ।
ଇଟିଭି ଭାରତ, କଟକ