ଭୁବନେଶ୍ବର: କେନ୍ଦ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ନବୀନଙ୍କୁ ମୋଦିଙ୍କ ପ୍ରଶଂସା ହେଉ କି ନବୀନଙ୍କୁ ସୋନିଆ ଗାନ୍ଧୀଙ୍କ ଆମନ୍ତ୍ରଣ । ଫୋକସରେ କେବଳ ଆଞ୍ଚଳିକ ଦଳ । ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ କଂଗ୍ରେସ ଓ ବିଜେପି ପକ୍ଷରୁ ଚାଲିଛି ପ୍ରୟାସ ।
ଦିଲ୍ଲୀ ରାଜନୀତିରେ ଓଡ଼ିଶା ସୁପ୍ରିମୋଙ୍କ ଭୂମିକା ଗୁରୁତ୍ବ ରଖୁଥିବା ବେଳେ ନବୀନଙ୍କୁ ସୋନିଆଙ୍କ ଚିଠି ଲେଖିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପିରିକି ମେଣ୍ଟ ଗଠନ ଲାଗି କମଲ ହାସନ କଥା ହୋଇଥିବା ଚର୍ଚ୍ଚା ହେଉଛି । ଯାହାକୁ ବିଜେଡି ହାଲୁକାଭାବେ ନେଇଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛି କଂଗ୍ରେସ ।
ଗାଦି ହାତେଇବାକୁ ଫୋକସରେ ଆଞ୍ଚଳିକ ଦଳ । ସଂଖ୍ୟା ଗରିଷ୍ଠତା କମିଗଲେ ଆଞ୍ଚଳିକ ଦଳ ଉପରେ ଭରସା କରି ପୁଣି ଥରେ କ୍ଷମତା ହାସଲ କରିବାକୁ ଚାଲିଛି ପ୍ରୟାସ । ମହାମେଣ୍ଟ ଗଠନ କରି ମୋଦିଙ୍କୁ ହଟାଇବାକୁ ସୋନିଆ ଚେଷ୍ଟା କରୁଥିବା ବେଳେ ବିଜେଡି ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି, ଏହା ଏକ ସ୍ବାଭବିକ ପ୍ରକ୍ରିୟା । କେନ୍ଦ୍ରରେ କୌଣସି ଦଳ ବା ଏନଡିଏ ଓ ୟୁପିଏ ମେଣ୍ଟ ସରକାର ଗଠନ ପାଇଁ ବହୁମତ ପାଇବ ନୋହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏବେ କେବଳ ନଜର ମେ 23ର ଫଳାଫଳକୁ । ତାହା ହିଁ ସ୍ପଷ୍ଟ କରିବ ବିଜେଡି କେଉଁ ମେଣ୍ଟ ପକ୍ଷରେ ରହିବ ବୋଲି ସେ କହିଛନ୍ତି ।
ସେପଟେ, କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି, ନବୀନ ଅନେକ ସମୟରେ ମୋଦି ଓ ଏନଡିଏକୁ ସମର୍ଥନ କରିଛନ୍ତି । କିନ୍ତୁ ଆଗାମୀ ଦିନରେ ୟୁପିଏ ସରକାର ଗଠନ କରିବ ବୋଲି ଆଶାବାଦୀ ଅଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ