ଭୁବନେଶ୍ବର: ବିଏମସି ପକ୍ଷରୁ ଆରମ୍ଭ ହୋଇଛି ହୋର୍ଡିଂ ଉଚ୍ଛେଦ ଅଭିଯାନ । କେବଳ କୌଣସି ବ୍ୟବସାୟିକ ପ୍ରତିଷ୍ଠାନର ହୋର୍ଡିଂ ନୁହେଁ ବରଂ ସମସ୍ତ ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନରକୁ ମଧ୍ୟ ହଟାଇ ଦିଆଯାଇଛି ।
ନୋ ହୋର୍ଡିଂ ଜୋନରେ ବିଏମସି ଗ୍ରହଣ କରିଛି ଏହି କାର୍ଯ୍ୟାନୁଷ୍ଠାନ। ସହରର ଫରେଷ୍ଟ ପାର୍କ ଠାରୁ ଏଜି ଛକ ଭିତରେ ଲାଗିଥିବା ସମସ୍ତ ହୋର୍ଡିଂ ଏବଂ ପୋଷ୍ଟର ଓ ବ୍ୟାନରକୁ ଉଚ୍ଛେଦ କରାଯାଇଛି। ବିଏମସିର ଡେପୁଟି କମିଶନର ପ୍ରବୀର କୁମାର ଖିଲାରଙ୍କ ସୂଚନା ଅନୁସାରେ ନୋ ହୋର୍ଡ଼ିଙ୍ଗ ଜୋନ୍ ଗଭର୍ଣ୍ଣର ହାଉସ ଅଞ୍ଚଳ, ଷ୍ଟେଟ ଗେଷ୍ଟ ହାଉସ ରୋଡ, ସଚିବାଳୟ ମାର୍ଗ,ଖଣ୍ଡଗିରି, ଏୟାରପୋର୍ଟରୁ ପିଏମଜି ଛକ ଆଦି ଅଞ୍ଚଳରେ କୌଣସି ହୋର୍ଡିଂ ଲାଗିପାରିବ ନାହିଁ। ଏହାସହ ବେଆଇନ ଭାବେ କୌଣସି ହୋର୍ଡିଂ ଲଗାଗଲେ ଏଥିରୁ ଜୋରିମାନା ମଧ୍ୟ ଆଦାୟ କରାଯିବ।
ଏଠାରେ ସୂଚନାଯୋଗ୍ୟ, ବିଏମସିରୁ ଅନୁମତି ନେଇ ଯେଉଁମାନେ ହୋର୍ଡିଂ ଲଗାଉଛନ୍ତି ସେମାନଙ୍କଠାରୁ ରାଜସ୍ବ ଆଦାୟ ହେବାସହ ବେଆଇନ ଭାବେ ଲାଗିଥିବା ହୋର୍ଡିଂକୁ ଜବତ କରାଯାଇ ଜୋରିମାନା ଆଦାୟ କରାଯାଉଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ