ଭୁବନେଶ୍ବର: ଯେତେବେଳ ଜଣେ ବରିଷ୍ଠ ନେତା ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରନ୍ତି, ସେତେବେଳେ ତାଙ୍କର ପ୍ରଭାବକୁ ନେଇ ଚର୍ଚ୍ଚା ହେବା ସ୍ବଭାବିକ । କିଛି ନେତାଙ୍କ କ୍ଷେତ୍ରରେ ଦୀର୍ଘ ସମୟ ପରେ ଯାଇ ପ୍ରଭାବ ଜଣାପଡୁଥିବା ବେଳେ ଆଉ କିଛି ନେତାଙ୍କ କ୍ଷେତ୍ରରେ ଖୁବଶୀଘ୍ର ବାରି ହୋଇଯାଏ । ଠିକ ଯେପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବିଜେଡି ଛାଡିଥିଲେ, ବିଜେପିରେ ମିଶିଲେ । ଆସୁଆସୁ ନିଜସ୍ବ ନାରାକୁ ବିଜେପି ନେତା ଓ କର୍ମୀଙ୍କ ମୁହଁରେ ବୋଲାଇବାରେ ସଫଳ ହେଲେ ଜୟ ପଣ୍ଡା ।
ଏବେ 'ହେଉଯାଉ' କେବଳ ବୈଜୟନ୍ତଙ୍କ ନାରା ନୁହେଁ, ଓଡିଶା ବିଜେପିର । ବିଜେପିର ଅନ୍ୟ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିବ ଏହି ନାରା । ଆଉ ବୈଜୟନ୍ତଙ୍କ 'ହେଇଯାଉ'କୁ 'ହେଇଗଲା'ରେ ପରିବର୍ତ୍ତନ କରିବା ପାଇଁ ବିଜେପି କର୍ମୀ ବି ପୁରା ପ୍ରସ୍ତୁତ । ସାଧାରଣତଃ ଦେଖାଯାଏ ଯେ ଦଳବଦଳ କରି ଆସିଥିବା ନେତାଙ୍କୁ କର୍ମୀ ସହଜରେ ଗ୍ରହଣ କରିପାରନ୍ତିନି । ହେଲେ ବୈଜୟନ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏହାର ପୁରା ବ୍ୟତିକ୍ରମ । କେବଳ ଜୟ ପଣ୍ଡା ଗେରୁଆ ବସ୍ତ୍ରରେ ରଙ୍ଗୀନ ହୋଇନାହାନ୍ତି, ବିଜେପି କର୍ମୀ ବି ବୈଜୟନ୍ତଙ୍କ ନାରାକୁ ଅତି ସହଜରେ ଗ୍ରହଣ କରିନେଇଛନ୍ତି । ନାରାକୁ ସଫଳ କରିବା ପାଇଁ ଆଗଭର ଥିବା ଜଣାପଡୁଥିଲା ।
ବୁଧବାର ରାଜ୍ୟ ବିଜେପି କାର୍ଯ୍ୟଳୟର ଏକ ଘଟଣା ଉପରେ ଏ ଯୁକ୍ତି ଆଧାରିତ ବୋଲି କୁହାଯାଇପାରେ । ବିରାଟ ଶୋଭାଯାତ୍ରାରେ ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟକୁ ଆସିଥାନ୍ତି ବୈଜୟନ୍ତ । ଦଳର ସବୁ ବରିଷ୍ଠ ନେତା ବକ୍ତବ୍ୟ ମାଧ୍ୟମରେ ତାଙ୍କୁ ସ୍ବାଗତ ବି କରିସାରିଥାନ୍ତି । ଶେଷରେ ନିଜ ବକ୍ତବ୍ୟ ରଖୁଥିଲେ ଜୟ ପଣ୍ଡା । ନିଜଦ୍ବାରା ଆରମ୍ଭ ହୋଇଥିବା ନାରାକୁ କର୍ମୀଙ୍କ ମୁହଁରେ ବୋଲାଇବାକୁ ଉଦ୍ୟମ କରିଥିଲେ । ଆଉ କର୍ମୀ ବି ବୈଜୟନ୍ତଙ୍କ ପରିବର୍ତ୍ତନ ନାରାରେ ବଡ ପାଟିରେ କହୁଥିଲେ 'ହେଇଯାଉ' ।
ଆଉ ଏହାରି ଭିତରେ ଜଣେ କର୍ମୀଙ୍କ ସ୍ଲୋଗାନ ଉପସ୍ଥିତ ନେତା ଓ କର୍ମୀ ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ହସର ଖୋରାକ ଯୋଗାଇଥିଲା । ବୈଜୟନ୍ତଙ୍କ ପରିବର୍ତ୍ତନ ନାରାରେ 'ହେଇଯାଉ' ପରିବର୍ତ୍ତେ 'ହେଇଗଲା' କହିଥିଲେ କର୍ମୀ ଜଣକ । ଆଉ ଏଥିରେ ଭାଷଣ ଦେଉଥିବା ଖୋଦ ଜୟ ପଣ୍ଡା ମଧ୍ୟ ନହସି ରହିପାରିନଥିଲେ । କାହିଁକି ନା ବୈଜୟନ୍ତ ଠିକ ବୁଝି ଯାଇଥିଲେ, ତୀର ଠିକଣା ଜାଗାରେ ବାଜିଛି । ତାଙ୍କ ନାରାକୁ ବିଜେପି କର୍ମୀ ସଫଳ କରିବା ପାଇଁ ପୁରା ପ୍ରସ୍ତୁତ ।
ବ୍ୟୁରୋ ରିପୋର୍ଟ, ଇଟିଭି ନ୍ୟୁଜ