ଭୁବନେଶ୍ବର: ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ସତର୍କ ହୋଇଉଠିଛନ୍ତି ସାଧାରଣ ଜନତା । ନିର୍ବାଚନୀ ପାଣିପାଗ କେମିତି ରହିଛି ତାହା ଉପରେ ରଖୁଛନ୍ତି ତୀକ୍ଷ୍ଣ ନଜର । ବିଗତ ଦିନରେ ହୋଇଥିବା ନିର୍ବାଚନ ଉପରେ ଦୃଷ୍ଟି ନିକ୍ଷେପ କଲେ ଏହା ସ୍ପଷ୍ଟ ଯେ ଭୋଟର ଅଧିକାଂଶ ସମୟରେ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ନିର୍ବାଚନୀ ଇସ୍ତାହାର ଉପରେ ନଜର ରଖିଥାନ୍ତି । ମାତ୍ର ନିର୍ବାଚନ ପରିଚାଳନା କିପରି ହୋଇଥାଏ ତାହ ଉପରେ ସେତେଟା ଗୁରୁତ୍ବ ଦେଇ ନଥାନ୍ତି ଲୋକେ ।
ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହେଉଥିବ? ଏଥିପାଇଁ ଟଙ୍କା କେଉଁଠୁ ଆସୁଥିବ ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ । ତେବେ ନିର୍ବାଚନୀ ଖର୍ଚ୍ଚ ଉଭୟ ପ୍ରାର୍ଥୀ ଏବଂ ସରକାର ବହନ କରିଥାନ୍ତି । ଏହାକୁ ଛାଡି ନିର୍ବାଚନ ପରିଚାଳନା ବାବଦରେ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ହୋଇଥାଏ ।
ଚଳିତ ନିର୍ବାଚନ କଥା ଯଦି ବିଚାରକୁ ନିଆଯାଏ, ତେବେ ପ୍ରାଥମିକ ଆକଳନ ଅନୁସାରେ ନିର୍ବାଚନ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ 300 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଭୋଟର ତାଲିକା ସଂଶୋଧନ ଠାରୁ ଆରମ୍ଭ କରି ଚୂଡାନ୍ତ ଫଳାଫଳ ପ୍ରକାଶ ପର୍ଯ୍ୟନ୍ତ ଏହି ଅର୍ଥ ଖର୍ଚ୍ଚ ହେବ । ଗତ 2014 ନିର୍ବାଚନରେ ଏହି ବ୍ୟୟ ବରାଦର ପରିମାଣ ଥିଲା 130 କୋଟି । 5 ବର୍ଷ ମଧ୍ୟରେ ଏହି ଖର୍ଚ୍ଚର ପରିମାଣ 2 ଗୁଣାରୁ ଅଧିକ ବୃଦ୍ଧି ପାଇଛି ।
କେଉଁ ବାବଦରେ ସର୍ବାଧିକ ଅର୍ଥ ଖର୍ଚ୍ଚ ହୋଇଥାଏ?
ବ୍ୟୟ ଅଟକଳ ଅନୁସାରେ ଇଭିଏମ ମେସିନର(ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ପରିବହନ ବାବଦରେ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । କାରଣ ଅନ୍ୟ ରାଜ୍ୟକୁ ଏହି ମେସିନ ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟ୍ୟାଳୟରେ ପହଞ୍ଚାଇବା ହିଁ ସବୁଠୁ ବଡ ଚ୍ୟାଲେଞ୍ଜ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦୁଇଟି ସଂସ୍ଥା ଭାରତ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରୋନିକ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼ ନାମକ ଦୁଇଟି ସଂସ୍ଥା ଏହି ଦାୟିତ୍ଵ ନେଇଥାନ୍ତି ।
ସମସ୍ତ ସ୍ଥାନକୁ ମେସିନ ପହଞ୍ଚାଇବା ସହ ନିର୍ବାଚନ ସରିବା ପରେ ମଧ୍ୟ ତାକୁ ସୁରକ୍ଷିତ ଭାବେ ସଂଗ୍ରହ କରି ଜମା କରିବା ଦାୟିତ୍ବ ଏହି ଦୁଇ ସଂସ୍ଥା ଉପରେ ନ୍ୟସ୍ତ ଥାଏ । ଯେଉଁଥି ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଏ ବାବଦକୁ ଆନୁମାନିକ ପ୍ରାୟ 50 କୋଟି ଖର୍ଚ୍ଚ ହେବ । ଏହାସହିତ ନିର୍ବାଚନରେ ବ୍ୟବହୃତ ବିଭିନ୍ନ ଫର୍ମ ପ୍ରିଣ୍ଟିଂ ପାଇଁ ମଧ୍ୟ ଅର୍ଥ ବ୍ୟୟ ହୋଇଥାଏ । ଚଳିତ ଥର ଭିଭିପାଟ୍( ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରାଏଲ) ମେସିନର ପ୍ରଥମ ଥର ପାଇଁ ବ୍ୟବହାର କରାଯିବ । ଏଥିପାଇଁ ସବୁ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏ ବାବଦରେ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚ ହୋଇଛି ।
ଏହାସହ ନିର୍ବାଚନ ସାମଗ୍ରୀ କିଣା, ଷ୍ଟ୍ରଙ୍ଗରୁମ, ମଡେଲ ବୁଥ, ଭିଡ଼ିଓଗ୍ରାଫି, ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷାବଳ ମୃତୟନ କ୍ଷେତ୍ରରେ ମଧ୍ୟ ବ୍ୟୟ ବରାଦ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ପାଖାପାଖି 40 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛ। ନିର୍ବାଚନର ମୋଟ 3ଟି ପ୍ରକ୍ରିୟା ରହିଛି । ପ୍ରାକ୍ ନିର୍ବାଚନ, ନିର୍ବାଚନ ଓ ନିର୍ବାଚନ ପରବର୍ତ୍ତୀ ବ୍ୟୟ । ତେବେ ପ୍ରାକ ନିର୍ବାଚନୀ ବ୍ୟୟ ସବୁଠାରୁ ଅଧିକ ହୋଇଥାଏ ।
ଏସବୁକୁ ଦୃଷ୍ଟି ଦେଲେ ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ବଢିବା ସ୍ବାଭାବିକ ବୋଲି କହିଛନ୍ତି ଓଡିଶା ଇଲେକ୍ସନ ଓ୍ଵାଚର ସଂଯୋଜକ ରଞ୍ଜନ ମହାନ୍ତି । କାରଣ ନିର୍ବାଚନ କମିଶନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଏବଂ ନିର୍ବାଚନକୁ ଅବାଧ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ନିର୍ବାଚନ ପରିଚାଳନା ବ୍ୟୟବରାଦ ଦୁଇଗୁଣା ହେବା ସ୍ବାଭାବିକ । ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ ଖର୍ଚ୍ଚ ହେଉଛି ପ୍ରାଥମିକ ଆକଳନ । ପ୍ରାର୍ଥୀଙ୍କ କ୍ଷେତ୍ରରେ କୌଣସି ଖର୍ଚ୍ଚ ସୀମା ବଢି ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ