ବୌଦ୍ଧ: ଥମିବାର ନାଁ ଧରୁନି ଅପରାଧିକ ମାମଲା । ଶନିବାର ଦିନ ଗୁଳିମାଡ ଘଟଣାର ତଦନ୍ତ ପୋଲିସ ଆରମ୍ଭ କରିଥିବା ବେଳେ ପୁଣି ଜଣେ ରିଜର୍ଭ ପୋଲିସ କର୍ମଚାରୀଙ୍କୁ ତାଙ୍କ ଦୁଇ ବଡ ଭାଇ ହତ୍ୟା କରି ପୋଡି ଦେଇଥିବା ଅଭିଯୋଗ ହୋଇଛି ବାଉଁଶୁଣୀ ଥାନା ଅନ୍ତର୍ଗତ ମଲ୍ଲିକପଡା ଗ୍ରାମରେ । ଓଏସଏପିରେ କାର୍ଯ୍ୟରତ ଜଣେ ସିପାହୀକୁ ପାରିବାରିକ ଗଣ୍ଡଗୋଳରୁ ତାଙ୍କ ନିଜର ଦୁଇ ବଡ ଭାଇ କାଠଫାଳିଆରେ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି ।
ହତ୍ୟା କରିବା ପରେ ନିକଟସ୍ଥ ଜମିରେ ପୋଡି ଦେବାକୁ ଉଦ୍ୟମ କରିଥିଲେ । ଖବର ପାଇ ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦରପୋଡା ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୁରୁଣାକଟକ ଓ ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଥିବା ଉଭୟ ଘଟଣା ସମ୍ପର୍କରେ ବୌଦ୍ଧ ଏସପିଭି ରଘୁନାଥ ରାଓ ଇଟିଭି ଭାରତକୁ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରିଛନ୍ତି ।
ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ ଦୁଇ ମାସ ଧରି ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଓ କଣ୍ଟାମାଳ ଥାନା ଅଞ୍ଚଳରେ ହେଉଥିବା ଅପରାଧିକ ମାମଲାକୁ ପୋଲିସ ଦୃଢ ହସ୍ତରେ ଦମନ କରିବାରେ ଚେଷ୍ଟିତ ଥିବା ବେଳେ ବର୍ତ୍ତମାନ ପୁଣି ଅନ୍ୟ ଥାନା ଅଞ୍ଚଳରେ ବୃଦ୍ଧି ପାଇଛି ଅପରାଧିକ ମାମଲା । ଗତ ଶନିବାର ସଂଧ୍ୟାରେ ପୁରୁଣାକଟକ ଥାନା ବାହାଲି ଗ୍ରାମରେ ସାମାନ୍ୟ କାରଣରୁ ଗୁଳିକାଣ୍ଡ ଭଳି ଘଟଣାର 24 ଘଣ୍ଟା ନପୁରୁଣୁ ପୁଣିଥରେ ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ