ବୌଦ୍ଧ: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ତେବେ ବୌଦ୍ଧ ଜିଲ୍ଲାରେ ବର୍ଷୁଛି ଅଗ୍ନି ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି ।
ତେବେ ୪୧ ଡିଗ୍ରୀ ତାପମାତ୍ରା ସହିତ ସାରା ରାଜ୍ୟର ସବୁଠାରୁ ଉତ୍ତପ୍ତ ଜିଲ୍ଲା ପାଲଟିଛି ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ମାର୍ଚ୍ଚ ମାସ ଶେଷରୁ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ଜିଲ୍ଲାର ଉପାନ୍ତ ଅଞ୍ଚଳର ପଞ୍ଚାୟତ କଥା ଛାଡନ୍ତୁ, ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ମୁର୍ଷୁଣ୍ଢି ପଞ୍ଚାୟତରେ ପାନୀୟଜଳ ଅବସ୍ଥା ବର୍ତ୍ତମାନ ବେହାଲ ହୋଇପଡିଛି । ମୁର୍ଷୁଣ୍ଢି ପଞ୍ଚାୟତ ବୌଦ୍ଧ ସହରର ବିଜୁ ପଟ୍ଟନାୟକ ସେତୁ ଛକ ନିକଟରୁ ତଥା ମହାନଦୀ କୂଳରେ ଥାଇ ମଧ୍ୟ ପାନୀୟଜଳ ମୁନ୍ଦାଏ ପାଇଁ ସ୍ଥାନୀୟ ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏପଟେ ଖୋଦ ପଞ୍ଚାୟତ କାର୍ଯ୍ୟାଳୟର ପାନୀୟଜଳ ବ୍ୟବସ୍ଥା ଅଚଳ ହୋଇପଡିବା ସହ ସେତୁ ଛକ ନିକଟରେ ଯାତ୍ରୀଙ୍କ ପାଇଁ ପାନୀୟଜଳର କୌଣସି ବ୍ୟବସ୍ଥା ହୋଇନାହିଁ । ଫଳରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାଇପ ବିଛଯାଇଥିଲେ ସୁଦ୍ଧା ଜଳଯୋଗାଣ ଠିକରେ ହୋଇପାରୁ ନାହିଁ । ଏଣୁ ଲୋକେ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ବେଳେ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ