ବୌଦ୍ଧ: ଜାଗର ଯାତ୍ରା ପାଇଁ ଆଜି ଜିଲ୍ଲାର ସମସ୍ତ ଶୈବପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଜିଲ୍ଲାର ଏଭଳି ଏକ ଶୈବପୀଠ ରହିଛି ଯାହାର ବିମାନ ଅଂଶକୁ ଛାଡିଦେଲେ ଅନ୍ୟ ସମସ୍ତ ଅଂଶ ଭୂଗର୍ଭ ମଧ୍ୟରେ ରହିଛି । ମହାନଦୀ କୂଳରେ ରହିଛି ଜିଲ୍ଲାର ଅନେକ ଶୈବପୀଠ । ଜିଲ୍ଲାର ମହାନଦୀ କୂଳରେ ବାଉଁଶୁଣୀ ର ଭୁବନେଶ୍ବର ମନ୍ଦିର, କରଡିର ଚମ୍ପେଶ୍ବର ମନ୍ଦିର ଓ ରାମଗଡର କେଦାରେଶ୍ବର ଅନ୍ୟତମ ।
ତେବେ ରାମଗଡର ପ୍ରସିଦ୍ଧ ଶୈବପୀଠ ଟି ଅତ୍ୟନ୍ତ ଚିତ୍ତାକର୍ଷକ । କାରଣ ମହାନଦୀ କୂଳରେ ଅତ୍ୟନ୍ତ ଲୋଭନୀୟ ତଥା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ମନ୍ଦିରଟି ରହିଛି । ତେବେ ମନ୍ଦିରର କେବଳ ବିମାନ ଅଂଶଟି ଦୃଶ୍ୟମାନ ହେଉଥିବା ବେଳେ ମନ୍ଦିରର ଗଣ୍ଡି, ବାଡ ଓ ପୂଜାସ୍ଥଳ ସବୁକିଛି ଭୂଗର୍ଭ ରେ ରହିଛି ।
ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ଏକ ସୁଡୁଙ୍ଗ ରୂପକ ପାହାଚ ଦେଇ ତଳକୁ ଓହ୍ଲାଇ ମହାଦେବଙ୍କ ଦର୍ଶନ କରିଥାନ୍ତି । ଆଜି ଶିବରାତ୍ରୀ ଉପଲକ୍ଷେ ଏଠାକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଏହି ପୀଠକୁ ଦର୍ଶନ ପାଇଁ ଆସିଥିଲେ । ଏହାଛଡା ମନ୍ଦିର ନିକଟରେ ଥିବା ବିରାଟକାୟ ଗଛ ଗୁଡିକ ହଜାର ହଜାର ସଂଖ୍ୟାରେ ବାଦୁଡି ଙ୍କ ଆଶ୍ରୟ ସ୍ଥଳୀ ପାଲଟି ଥିବାରୁ ଏହା ଅନ୍ୟ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ । ତେବେ ଆଜି ଜିଲ୍ଲାର ବିଭିନ୍ନ ଶୈବପୀଠ ରେ ରାତି ତମାମ ଶ୍ରଦ୍ଧାଳୁ ଓ ମାନସିକଧାରୀ ଉଜାଗର ରହି ଦୀପ ଜାଳିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ