ବୌଦ୍ଧ: କୋରୋନା ସଂକ୍ରମଣକୁ ରୋକିବାକୁ ସମ୍ପୂର୍ଣ୍ଣ ଲକଡାଉନ ହୋଇଛି ଭାରତ ବର୍ଷ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଲକଡାଉନକୁ ଜିଲ୍ଲା ପ୍ରଶାସନ କଡାକଡି ଭାବରେ ପାଳନ କରୁଛି । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ଏକ ସ୍ପିରିଟ କମ୍ପାନୀ ବୌଦ୍ଧ ଡିଷ୍ଟିଲାରୀରେ ଏବେବି ଶତାଧିକ କର୍ମଚାରୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।
ତେବେ ସମ୍ପୂର୍ଣ୍ଣ ଲକଡାଉନ ହୋଇଛି ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ । ସାଧାରଣ ଲୋକମାନେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ ରାସ୍ତାରେ ଅଯଥା ନବୁଲି ଘରେ ଆବଦ୍ଧ ରହିବାକୁ ଲୋକମାନଙ୍କୁ କହୁଛନ୍ତି ।
ତେବେ ରାମ୍ଭିକଟା ନିକଟରେ ଥିବା ସ୍ପିରିଟ କମ୍ପାନୀ ବୌଦ୍ଧ ଡିଷ୍ଟିଲାରୀରେ ବୁଧବାର ମଧ୍ୟ ଶତାଧିକ କର୍ମଚାରୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏଦିଗରେ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରୋସେସିଂ ୟୁନିଟ ଖୋଲା ରହିବ, କିନ୍ତୁ କର୍ମଚାରୀ କେବଳ ଏକ ତୃତୀୟାଂଶ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି ।
ଏପଟେ ବୁଧବାର ଲକଡାଉନର ପ୍ରଥମ ଦିନରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ଭି ରଘୁନାଥ ରାଓ ମନମୁଣ୍ଡା, ବାଉଁଶୁଣୀ, ସାହାଜପାଲ, ଜହ୍ନାପଙ୍କ ପ୍ରଭୃତି ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେପଟେ କଳାବଜାରୀ ଓ ଚୋରା ବେପାରୀଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଦୃଢ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ