ବୌଦ୍ଧ: ଅପହଞ୍ଚ ଇଲାକାରେ ପାହାଡ ଚଢିପାରୁନି ବିକାଶ । ଯେଉଁଠାରେ ଆଜିଯାଏ ଆମ୍ବୁଲାନ୍ସ ଓ ଜିଲ୍ଲାପାଳଙ୍କୁ କେବେ ଦେଖିନାହାନ୍ତି ସେଠାରେ ଅନ୍ୟ ସୁବିଧା କଥା କିଏ ପଚାରେ। ପାଞ୍ଚଟି ଛୋଟ ବଡ ନଦୀନାଳ ଘେରି ରହିଥିବା ଓଡ଼ିଶାର ମଧ୍ୟ ଭାଗରେ ଥିବା ଏକ ବିଛିନ୍ନାଞ୍ଚଳର କରୁଣ କାହାଣୀ ଆମ ସଭ୍ୟ ସମାଜ ପାଇଁ ଆଶ୍ଚର୍ଯ୍ୟ ବୋଧ ହେଉଥିଲେ ମଧ୍ୟ ଏହା ସେହି ଅଞ୍ଚଳର ଅଧିବାସୀଙ୍କ ପାଇଁ ସବୁଦିନିଆ କଥା।
ଏଦୃଶ୍ୟ ବୌଦ୍ଧର ଶଗଡା ପଞ୍ଚାୟତ ଅଧିନରେ ଥିବା ମାଓ ପ୍ରବଣ ମାଳତୀ ଗୋଛାପଡା, ସିଗାଡି, ବାତେପଙ୍ଗା,ଚୁହୁରାକଣ ଭଳି ଗାଁର। ଏହି ସବୁ ଅଞ୍ଚଳକୁ ବର୍ଷ ତମାମ ବାଘ ନଦୀ ଓ ଅନ୍ୟ ଛୋଟ ନଦୀ ବିଛିନ୍ନାଞ୍ଚଳର ଭୂଗୋଳ ସୃଷ୍ଟି କରିଥାଏ। ଅଞ୍ଚଳରେ ସରଳ ତଥା ନିରୀହ ଆଦିବାସୀଙ୍କ ଦୁଖଃ ଶୁଣିବାକୁ ବୋଧହୁଏ କେହି ନାହାନ୍ତି ।
ଫଳରେ ଏମାନଙ୍କ ଅସହାୟତାର ସୁଯୋଗ ନେଇ ଗଞ୍ଜେଇ ମାଫିଆଠାରୁ ଆରମ୍ଭ କରି ମାଓ ଗତିବିଧି ଅଞ୍ଚଳରେ ଅତ୍ୟନ୍ତ ସକ୍ରିୟ । ମୁଖ୍ୟତଃ ଏହି ଅଞ୍ଚଳକୁ ଆଜିଯାଏ ଯୋଗାଯୋଗ ନିମନ୍ତେ କୌଣସି ରାସ୍ତା ନଥିବାରୁ ଏମାନେ ସାଧାରଣ ଜନ ଜୀବନ ଠାରୁ ଢେର ପଛରେ ଥିଲା ଭଳି ମନେହୁଏ । ଅଞ୍ଚଳର ଅଧିକାଂଶ ଅଧିବାସୀ ଆଜିଯାଏ ଆମ୍ବୁଲାନ୍ସ କିମ୍ବା ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦେଖିନଥିବା ଭଳି ଆଶ୍ଚର୍ଯ୍ୟ କଥା କହିଛନ୍ତି।
ଅଞ୍ଚଳକୁ ବିଦ୍ୟୁତ ଖୁଣ୍ଟ ଓ ତାର ଟଣାଯାଇଛି ସତ ହେଲେ ଲାଇନ ସଂଯୋଗ ଅଧିକାଂଶ ସମୟରେ ନଥାଏ। ପ୍ରସୂତୀ ଓ ଛୋଟଛୁଆଙ୍କ ଦୁଃଖ ଏଠାରେ ସବୁଠାରୁ ଅଧିକ। ଯଦି ତୁଳନା କରାଯାଏ ବୋଧହୁଏ ଏହା ଓଡ଼ିଶାର ସର୍ବ ବୃହତ ନଗଡା ଅଞ୍ଚଳରେ ପରିଗଣିତ ହେବ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ, ସାମାଜିକ ସୁରକ୍ଷା, ଆବାସ ଯୋଜନା ସବୁକିଛି ଏଠାରେ ଆଇମା ର ଗପ ଭଳି ମନେହୁଏ। ସରକାରୀ ଯୋଜନା ଅଛି ସତ ଅଞ୍ଚଳକୁ ପ୍ରଶାସନ ପହଞ୍ଚିବାକୁ ଚେଷ୍ଟା ମଧ୍ୟ କରୁଛି। କିନ୍ତୁ ଗମନାଗମନର ଅବ୍ୟବସ୍ଥା ସମସ୍ତଙ୍କୁ ଅଞ୍ଚଳକୁ ପହଞ୍ଚିବାରୁ ରୋକ ଲଗାଇଛି ।ଏନେଇ ଜିଲ୍ଲାର ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ବିଧାୟକ ମଧ୍ୟ ଅଞ୍ଚଳର ଦୁଃଖ କୁ ସ୍ବୀକାର କରିବା ସହ ଆଗାମୀ ଦିନରେ ଏକ ସେତୁ ନିର୍ମାଣ ସହ ଅଞ୍ଚଳବାସୀ ଙ୍କ ଦୁଃଖ ଦୂର କରିବାକୁ ସେ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ