ବୌଦ୍ଧ: ଜିଲ୍ଲାରେ ଟିକା ଅଭାବରୁ ବନ୍ଦ ହେଲା ଟୀକାକରଣ କେନ୍ଦ୍ର । ଫଳରେ ଟୀକାକରଣ କେନ୍ଦ୍ରରୁ ଶହ ଶହ ଲୋକ ଫେରିଯାଉଥିବା ଦେଖିବାକୁ ମିଳିଛି । ସେପଟେ ସାରା ଦେଶରେ ଟିକା ଉତ୍ସବ ଚାଲୁଥିବା ବେଳେ ଜିଲ୍ଲାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।
ତେବେ ଜିଲ୍ଲାରେ ପ୍ରତିଷେଧକ ଟିକା ସରିଯିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଜିଲ୍ଲାର କୋଭିଡ କେନ୍ଦ୍ର ମଧ୍ୟରେ ସୋମବାର ମାତ୍ର ଶହେ ଜଣଙ୍କୁ ଟିକା ପ୍ରଦାନ ପରେ ଟୀକାଦାନ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଥିଲା । ଯାହା ଫଳରେ ଶହ ଶହ ଲୋକ ଟିକା ନେଇନପାରି ଫେରି ଯାଇଥିଲେ । ସେପଟେ ପୁଣିଥରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 5 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ବୌଦ୍ଧ ସହର ମଧ୍ୟରୁ ତିନି ଜଣ ଓ ପୁରୁଣାକଟକ ଓ ଚାରିଛକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଶାସନ ଦ୍ବାରା ଲାଗୁ କରାଯାଇଥିବା କଟକଣାକୁ ଲୋକେ ଆଦୌ ମାନୁ ନଥିବା ଦେଖିବାକୁ ମିଳିଛି । ଏପରିକି ଦଣ୍ଡଯାତ୍ରା ପାଇଁ ଜାରି କରାଯାଇଥିବା କଟକଣା କେବଳ ନାମକୁ ମାତ୍ର କରାଯାଇଥିବା ମନେ ହେଉଛି । ସେପଟେ ଗାଁ ଗାଁରେ ନାଟ ଉତ୍ସବ ଜାରି ରହିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ