ଭଦ୍ରକ: କରୋନା କଟକଣାରେ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଅପେରା, ପାଲା, ଦାସକାଠିଆ ଏପରିକି ମଞ୍ଚ କଳା ସବୁକିଛି ବନ୍ଦ ରହିଛି । ଗୋଟିଏ ପଟେ କରୋନା କଟକଣା ଅନ୍ୟପଟେ କଳାକାରଙ୍କର ପେଟ ପୋଷିବା, ଏହାକୁ ନେଇ ଦ୍ବନ୍ଦରେ ପଡିଲେଣି କଳାକାର । ପରିବାର ପୋଷଣ ପାଇଁ କେତେକ କଳା ଛାଡି ଅନ୍ୟ ବୃତ୍ତି ଆପଣେଇ ନେଉଥିବାବେଳେ ଅଧିକାଂଶ ଅଭ୍ୟସ୍ଥ କଳାକାର ହାତଗୋଡ ଯୋଡି ଘରେ ବସିଛନ୍ତି । ଭୋକ ଉପାସରେ ଆଉଟୁ ପାଉଟୁ ହେଲେ ମଧ୍ୟ ସରକାର ସେମାନଙ୍କ ଦୁଃଖ ବୁଝିବାର ନାଁ ଧରୁନାହାନ୍ତି ।
ଏପରି ସ୍ଥଳେ ନିଜ ପରିବାର ପୋଷଣ କରିବା ଲାଗି ଅଭିନବ ଉପାୟରେ ସାଧାରଣ ଲୋକଙ୍କ ଠାରୁ ଆର୍ଥିକ ସହଯୋଗର କାମନା କରିବା ଲାଗି ଆଗେଇ ଆସିଛନ୍ତି ଦୃଷ୍ଟିହୀନ ମଞ୍ଚକଳାକାର । ସୁମଧୁର ସଂଗୀତରେ ଦର୍ଶକଙ୍କ ମନମୋହିବା ସହିତ ବେଶ ଦି ପଇସା ସହଯୋଗ ପାଉଥିବା ବାରି ହୋଇଛି ।
ଆଖିକୁ ଦିଶୁନଥିବାବେଳେ ସଂଗୀତର ତାଳେ ତାଳେ ଅର୍ଗାନ, ତବଲା, ବେହେଲା ଓ ଝାଞ୍ଜ ବଜାଇବାରେ ଏହି ଦୃଷ୍ଟିହୀନମାନେ ବେଶ ପାରଦର୍ଶିତା ଅର୍ଜନ କରିଥିବା ବାରି ହୋଇଛି । ଦୃଷ୍ଟିହୀନ ମାନଙ୍କ ଦ୍ବାରା ଗଠିତ ଓଁକାର ଭଜନ ଅମୃତ ସମର୍ପଣ ରାସ୍ତା କଡରେ ପାଲ ପକାଇ ଭଜନ ସଂଗୀତ ଗାନ କରୁଛନ୍ତି । ଯାହାକି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବଜାରରେ ଏହି ଦୃଷ୍ଟିହୀନ ମାନଙ୍କ ଦ୍ବାରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶହ ଶହ ବଜାର ବାସିନ୍ଦା ଠାରୁ ଆରମ୍ଭ କରି ପଥଚାରୀ ଘଡିଏ ଅଟକି ଯାଉଥିଲେ । ଏହି ଦୃଷ୍ଟିହୀନ ମାନଙ୍କ କଣ୍ଠରୁ ସୁମଧୁର ସଂଗୀତ ଶୁଣିବା ପରେ ଆର୍ଥିକ ସହଯୋଗ କରୁଥିବା ଜଣାଯାଇଛି ।
ମଞ୍ଚ କଳାକାରର ମୁଖ୍ୟ ସଞ୍ଜୟ ଶଙ୍ଖୁଆ ଅର୍ଗାନ ବଜାଇ ସଂଗୀତ ଗାନ କରୁଥିବାବେଳେ ଅନ୍ୟମାନେ ତବଲା ଓ ଝାଞ୍ଜ ବଜାଉଥିଲେ । କିଛି ସ୍ବେଚ୍ଛାସେବୀ ଏହି ମଞ୍ଚ ପରିଚାଳନା କରିବା ସହିତ ଦୃଷ୍ଟିହୀନଙ୍କୁ ଠିକଣା ସ୍ଥାନକୁ ନେବା ଆଣିବା କରୁଥିବା ଜଣାଯାଇଛି । ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ନିଜର ଅଧ୍ୟବସାୟ ବଳରେ ମଞ୍ଚ କଳାକାର ଭାବେ କାର୍ଯ୍ୟ କରୁଥିଲେ । ଯାହାଦ୍ବାରା ସେମାନଙ୍କ ପରିବାର କଷ୍ଟେମଷ୍ଟେ ଚଳିପାରୁଥିଲେ । ତେବେ କରୋନା କଟକଣାରେ ତାହା ବନ୍ଦ ଥିବାରୁ ରାସ୍ତା କଡରେ ସଂଗୀତ ଗାନ କରି ଲୋକଙ୍କ ଠାରୁ ଦାନ ବାକ୍ସ ଜରିଆରେ ଆର୍ଥିକ ସହଯୋଗ କାମନା କରିବା ବ୍ୟତିତ ଅନ୍ୟ ଉପାୟ ନଥିବା କହିଛନ୍ତି ମୁଖ୍ୟ ସଂଜୟ ଶଙ୍ଖୁଆ । ସରକାର ରାଜନୈତିକ ପ୍ରଚାରରେ ହଜାର ହଜାର ଲୋକଙ୍କୁ ଅନୁମତି ଦେଉଥିବା ବେଳେ, ଏହି ମଞ୍ଚ କଳାକାରଙ୍କୁ ଅନୁମତି କାହିଁକି ଦେଉନାହାନ୍ତି ? ତାହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ