ଭଦ୍ରକ: ଜିଲ୍ଲାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁ ସେଠୀ । ବୈତରଣୀ ନଦୀ ପ୍ରଭାବରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ରିଲିଫ ଯୋଗାଇବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅନ୍ୟୁନ 7 ଦିନର ରିଲିଫ ଯୋଗାଣ ଓ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ମଧ୍ୟ କହିଥିଲେ ।
ବନ୍ୟା ପ୍ରଭାବିତଙ୍କୁ ପୁନଃ ଥଇଥାନ କରାଯାଉ ଏବଂ ଯେଉଁମାନଙ୍କ ଘର ଭାଙ୍ଗିଛି ସେଗୁଡିକର ତୁରନ୍ତ ଆକଳନ, ଫସଲହାନୀର ଆକଳନ ସହିତ ରାସ୍ତାଘାଟର କ୍ଷୟକ୍ଷତି ସମ୍ପର୍କରେ ଏକ ରିପୋର୍ଟ ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ପରେ ବନ୍ୟା ସ୍ଥିତି ଓ ପରବର୍ତ୍ତୀ ସମୟରେ ବନ୍ୟା ପ୍ରଭାବିତଙ୍କ ଥଇଥାନ ସମ୍ପର୍କରେ ସମୀକ୍ଷା କରିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ କୁମାର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ