ଭଦ୍ରକ: ସରକାରୀ ଶିକ୍ଷକଙ୍କ ଜାତିକୁ ନେଇ ବିବାଦ । ସମ୍ପର୍କ ଏବେ କାଠଗଡାରେ । ଚାକିରି ପାଇଁ ବାପା ବଦଳାଇ ଦେଲେ ଶିକ୍ଷକ । ଏମିତିକି ମାଆଙ୍କ ମୃତ୍ୟୁ ପରେ ମଧ୍ୟ ଦେଖିବାକୁ ଆସିନାହିଁ । କୋହ ଭରା କଣ୍ଠରେ ଏମିତି କିଛି କହିଛନ୍ତି ଶିକ୍ଷକଙ୍କ ପ୍ରକୃତ ବାପା ବୋଲି ଦାବି କରୁଥିବା ବୃଦ୍ଧ । ରକ୍ତ ସମ୍ପର୍କ ଏବେ କାଠଗଡାରେ ପହଞ୍ଚିଛି । କାରଣ ସନ୍ତାନ ନିଜର ବୋଲି ଦାବି କରୁଛନ୍ତି ବାପା ଓ ଭାଇ । କିନ୍ତୁ ପୁଅ କହୁଛି ଯେ ସେମାନେ ମୋ ବାପା କି ଭାଇ ନୁହଁନ୍ତି । ତେଣୁ ସେମାନଙ୍କ ସହ କିଛି ରକ୍ତ ସମ୍ପର୍କ ନାହିଁ । ଏମିତି କି ଜାତି ବଦଳାଇ ଜାଲ ଜାତିଗତ ପ୍ରମାଣ ପତ୍ର ବଳରେ ପୁଅ ଚାକିରି କରିଥିବା ଅଭିଯୋଗ ମଧ୍ୟ ଆସିଛି । ଏହିପରି କିଛି ଅଭାବନୀୟ ଓ ଚର୍ଚ୍ଚିତ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ଏରେଣ୍ଡେଇ ଗାଁର । ଯେଉଁଠି କାଗଜପତ୍ରରେ ସମସ୍ତଙ୍କୁ ସମ୍ପର୍କୀୟ ବୋଲି କହୁଥିବା ବେଳେ, ଏହାକୁ ପ୍ରମାଣ କରିବା ପାଇଁ ଏବେ ଘର କଳି ଯାଇ କୋର୍ଟରେ ପହଞ୍ଚିଛି ।
ବାଜିରେ ଲାଗିଛି ସମ୍ପର୍କ - ଜମିଜମାକୁ ନେଇ ଆରମ୍ଭ ହୋଇଥିବା ବିବାଦ ସୃଷ୍ଟି ଏବେ କିଛି ନୂଆ ଓ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି । ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା କାଗଜପତ୍ରରୁ ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛିି । ମହେଶ୍ୱର ନାୟକ ପେଷାରେ ଜଣେ ଶିକ୍ଷକ । ସେ ଭୁଲ ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ଆସିଛି । ଏମିତି ଅଭିଯୋଗ ସେତେବେଳେ ସାମ୍ନାକୁ ଆସିଲା ଯେବେ ଘରର ଜମି ଭାଗ ବାଣ୍ଟ ଆରମ୍ଭ ହେଲା ।
ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ଦସ୍ତାବିଜ କହୁଛି ଯେ, ଶିକ୍ଷକ ମହେଶ୍ୱର ନାୟକ ଚାକିରି ସମୟରେ ନିଜକୁ ଭୂମିଜ ଜାତିର ଓ ନୃସିଂହ ନାୟକଙ୍କୁ ବାପା ବୋଲି ଦର୍ଶାଇଛନ୍ତି । କିନ୍ତୁ ତହସିଲ ତରଫରୁ କରାଯାଇଥିବା ତଦନ୍ତ ରିପୋର୍ଟକୁ ଆଧାର କଲେ ଜାଣିବା ପାଇଁ ମିଳେ ଯେ ମହେଶ୍ୱର ନାୟକ ହେଉଛନ୍ତି ବାଇଧର ନାୟକଙ୍କ ପୁଅ । ଏନେଇ ମହେଶ୍ୱରଙ୍କ ଭାଇ ବୋଲି ଦାବି କରୁଥିବା ବାଇଧର ନାୟକଙ୍କ ପୁଅ ଅବସପ୍ରାପ୍ତ ସେନା ଅଧିକାରୀ ଅଭିରାମ ନାୟକ ଏବଂ ଅନ୍ୟ ଜଣେ ଭାଇ କିଶୋର ଚନ୍ଦ୍ର ନାୟକ କହିଛନ୍ତି ଯେ ମହେଶ୍ୱର ତାଙ୍କ ନିଜର ଭାଇ । ଜାଲିଆତି କରି ମିଛ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ହାତେଇଛନ୍ତି ବୋଲି ମହେଶ୍ୱର ନିଜେ ସ୍ୱୀକାର କରନ୍ତୁ ଏବଂ ପୁଣି ଥରେ ଘରକୁ ଫେରି ଆସନ୍ତୁ କହିଛନ୍ତି କିଶୋର ।
ସୂଚନାଧିକାର ଦ୍ଵାରା ହସ୍ତଗତ ହୋଇଥିବା ଆଇନ ମୁତାବକ କାଗଜପତ୍ରରେ ମହେଶ୍ୱର ନାୟକ ଜାଲିଆତି କରି ଚାକିରି କରିଥିବା ଅଭିଯୋଗ ହୋଇଛି । ଏହାର ସତ୍ୟତା ଯାଞ୍ଚ କରିବା ପାଇଁ ବାଇଧର ନାୟକଙ୍କ ପୁଅମାନେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଉଚ୍ଚନ୍ୟାୟାଳୟଙ୍କ ନିକଟରେ ନ୍ୟାୟ ପ୍ରଦାନ ପାଇଁ ଗୁହାରି କରିଥିବା ଜଣାପଡିଛି । ମହେଶ୍ୱର ଜାତିରେ ଖଣ୍ଡାୟତ ହୋଇଥିବା ବେଳେ ସେ ଅନୁସୂଚିତ ଜାତି ଭୂମିଜ ଦର୍ଶାଇଥିବା ଅଭିଯୋଗ ହୋଇଛି । ଏଥିସହ କେତେକ ସ୍କୁଲ ସାର୍ଟିଫିକେଟରେ ମଧ୍ୟ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ନେଇ ବନ୍ତ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ଯେ, ସେ କିଛିଦିନ ପୂର୍ବରୁ ଦାୟିତ୍ୱ ନେଇଛନ୍ତି । ଏହି ମାମଲା ଏବେ କୋର୍ଟରେ ଅଛି । ତେଣୁ ଗଣମାଧ୍ୟମକୁ କୌଣସି ତଥ୍ୟ ଦେଇପାରିବେ ନାହିଁ । କିନ୍ତୁ କୋର୍ଟଙ୍କ ନିକଟରେ ସମସ୍ତ ତଥ୍ୟ ରଖିବେ । ଅନ୍ୟପଟେ ମହେଶ୍ୱର ନାୟକ ଗଣମାଧ୍ୟମ ସାମ୍ନାକୁ ଆସିନଥିଲେ ମଧ୍ୟ କହିଛନ୍ତି ଯେ କୋର୍ଟଙ୍କ ରାୟକୁ ସେ ମାନିବେ ଓ ସତ ସାମ୍ନାକୁ ଆସିବ । ଘଟଣା ଯାହା ବି ହେଉ । ଯଦି ସରକାରୀ ଚାକିରି ପାଇଁ ମହେଶ୍ୱର ଚଞ୍ଚକତା କରିଥିବେ ତାହାଲେ ନିଶ୍ଚିତ ଦଣ୍ଡ ପାଇବା ଯୋଗ୍ୟ ବୋଲି ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ଭଦ୍ରକ