ଭଦ୍ରକ: ଦିବ୍ୟାଙ୍ଗଙ୍କ ପାଇଁ ଆଗେଇ ଆସିଲେ ଆଉ ଜଣେ ଦିବ୍ୟାଙ୍ଗଙ୍କ ପରିବାର । ଧାମନଗର ବ୍ଲକ ଅନ୍ତର୍ଗତ ରାମେଶ୍ବରପୁରର ଦିବ୍ୟାଙ୍ଗ ହ୍ୱିଲ୍ ଚେୟାର ଅଶୀ ଚାଳନା ଖେଳାଳୀ ମଧୁସ୍ମିତା ସାହୁଙ୍କୁ, ଅନ୍ୟ ଜଣେ ଦିବ୍ୟାଙ୍ଗଙ୍କ ପରିବାର ତରଫରୁ 3 ଲକ୍ଷ 50 ହଜାର ଟଙ୍କାର କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଛି । ଏଥିପାଇଁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭା ଗୃହରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହି ଉପକରଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁ ଯୋଗ ଦେଇ ମଧୁସ୍ମିତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସୂଚନା ଯୋଗ୍ୟକି ମଧୁସ୍ମିତା ହ୍ୱିଲ୍ ଚେୟାର ଅଶୀ ଚାଳନା କ୍ରୀଡ଼ାରେ 2021 ମସିହାରେ ରାଜ୍ୟ ସ୍ତରରେ ଖେଳି ଚମ୍ପିଆନ ହୋଇଥିଲେ । ପରେ 2022 ମସିହାରେ ହରିୟାନାର କର୍ଣ୍ଣଲରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ଚମ୍ପିଆନ ମଧ୍ୟ ହୋଇଥିଲେ । ବର୍ତ୍ତମାନ ସେ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ଯୋଗୁଁ ସେ ଏନେଇ ନିରବଚ୍ଛିନ୍ନ ଭାବରେ ଅଭ୍ୟାସ ଜାରି ରଖିଛନ୍ତି । ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ଖବର ଜାଣି ଗୁରୁ ପ୍ରସାଦ ଚୌଧୁରୀ ମଧୁସ୍ମିତା ସାହୁଙ୍କୁ ସହାୟତାର ହାତ ବଢାଇଥିବା କହିଛନ୍ତି ।
ଗୁରୁ ପ୍ରସାଦ ଚୌଧୁରୀ କହିଛନ୍ତି, "ଜଣେ ଦିବ୍ୟାଙ୍ଗ ଝିଅର ବାପା ହିସାବରେ ଅନ୍ୟ ଜଣେ ଦିବ୍ୟାଙ୍ଗ ଝିଅକୁ ସହାୟତାର ହାତ କରିବା ପାଇଁ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଅଶୀ ଚାଳନା ଭଳି ଦୁଃସାହସିକ ଖେଳ ଓ ତାଙ୍କ ଦୃଢ଼ ଇଚ୍ଛା ଶକ୍ତିରେ ପ୍ରଭାବିତ ହୋଇ ତାଙ୍କ ପାଇଁ କିଛି କରିବାକୁ ଉଦ୍ୟମ କରିଛୁ । ଯାହା ତାଙ୍କ ଆଗାମୀ ସଫଳତାରେ ତାଙ୍କୁ ସହାୟକ ହେବ ।" ତେବେ କାର୍ଯ୍ଯକ୍ରମରେ ଗୁରୁ ପ୍ରସାଦ ଚୌଧୁରୀଙ୍କ ପତ୍ନୀ ଜୋତ୍ସ୍ନା ଚୌଧୁରୀ, ଦିବ୍ୟାଙ୍ଗ କନ୍ୟା ତାନିଆ ଚୌଧୁରୀ ଏବଂ ଅନ୍ୟ କନ୍ୟା ଦୀକ୍ଷା ଚୌଧୁରୀ ଉପସ୍ଥିତ ରହି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ।
ଦିବ୍ୟାଙ୍ଗ କ୍ରୀଡ଼ାବିତ ମଧୁସ୍ମିତା ସାହୁ କହିଛନ୍ତି,"କୋଚ୍ ରାଖାଲ କୁମାର ସେଠୀଙ୍କ ପରାମର୍ଶ କ୍ରମେ କ୍ରୀଡ଼ା ପାଇଁ ଆବଶ୍ୟକ ସରଞ୍ଜାମ ବାହାରୁ ଆମଦାନୀ ହୋଇଥିଲା । ଉଚ୍ଚମାନର ତଲୱାର, ଗ୍ଲୋଭ୍, ବଡି ଓୟାର, ବିଭିନ୍ନ ଜ୍ୟାକେଟ୍, ଫେନସିଂ ଜୋତା, ସହ ଅନ୍ୟ ଆନୁସଙ୍ଗିକ 13ଟି ଉପକରଣ ପ୍ରଦାନ କରିଛନ୍ତି । ଏପ୍ରକାର ସହାୟତା ପାଇଁ ମୁଁ ଗୁରୁ ପ୍ରସାଦ ଚୌଧୁରୀଙ୍କ ପରିବାର ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛି । ସମସ୍ତ ସରଞ୍ଜାମର ସଦୁପଯୋଗ କରି ଆର୍ନ୍ତଜାତୀୟ ସ୍ତରରେ ଖେଳି ନିଜ ଜିଲ୍ଲା, ରାଜ୍ୟ ତଥା ଦେଶର ସୁନାମ ବଢ଼ାଇବା ପାଇଁ ଉଦ୍ୟମ କରିବି ।" ସୂଚନା ଯୋଗ୍ୟକି ମଧୁସ୍ମିତାଙ୍କୁ ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ 20 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ଭଦ୍ରକ