ଭଦ୍ରକ: ଭାଇଚାରାର ସହର ଭଦ୍ରକ ଆଜି ଉତ୍ସବମୁଖର ହୋଇଉଠିଛି । ଜାତି, ଧର୍ମ, ନିର୍ବି ଶେଷରେ ଏକାଠି ହୋଇଛନ୍ତି ସହରବାସୀ । କାରଣ ସହରରେ ବେଶ ଧୁମଧାମରେ ପାଳିତ ହେଉଛି ରାମନବମୀ ପୂଜା । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବର ଆଜି ଶେଷ ଦିନ । ଏହି ଅବସରରେ ବିଶାଳ ନଗର ସଙ୍କୀର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରୁଛି । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଦୀର୍ଘ ବର୍ଷ ଧରି ପାଳନ କରାଯାଉଥିବା ରାମନବମୀ ପୂଜା ଉତ୍ସବ ଭଦ୍ରକରେ ଏକ ଗଣପର୍ବରେ ପରିଣତ ହୋଇଛି । ଆବାଳବୃଦ୍ଧବନିତା ଜାତି, ଧର୍ମ, ବର୍ଣ୍ଣ, ଦଳ, ମତ ନିର୍ବିଶେଷରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବକୁ ପାଳନ କରିଛନ୍ତି । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ପ୍ରଥମେ ମହିଳାମାନେ ସାଳନ୍ଦୀ ନଦୀରୁ ଜଳ ଆଣି ଗାନ୍ଧୀ ପଡିଆରେ ଘଟ ସ୍ଥାପନ କରନ୍ତି । ପରେ ଆରମ୍ଭ ହୁଏ ଅଖଣ୍ଡ ମହାଯଜ୍ଞ । ଏହାସହ ରାମନବମୀ ଦିନ ପୂର୍ଣ୍ଣାହୁତି ହୁଏ ।
ଏହାପରେ ଆରମ୍ଭ ହୁଏ ନଗର ସଙ୍କୀର୍ତ୍ତନ ମହାଯାତ୍ରା । ଏହି କ୍ରମରେ ଆଜି ନେହେରୁ ଷ୍ଟାଡିୟମରୁ ଏହି ନଗର ସଙ୍କୀର୍ତ୍ତନ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରୁ 60ରୁ ଉର୍ଦ୍ଧ୍ବ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀରାମ ଏବଂ ହନୁମାନଙ୍କ ସୁସଜ୍ଜିତ ମେଢ ଧରି ନଗର ପରିକ୍ରମା କରୁଛନ୍ତି । ଏହି ନଗର ସଙ୍କୀର୍ତ୍ତନ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ଭାଇଚାରାର ମାହୋଲ ସୃଷ୍ଟି କରିଥାଏ ।
ତେବେ ଏଥର ପାଗ ଅନୁକୂଳ ନଥିବା ଦୃଷ୍ଟିରୁ ନଗର ସଙ୍କୀର୍ତ୍ତନରେ ବିଳମ୍ବ ହୋଇଛି । ଅପରାହ୍ନ 3ଟା ପରିବର୍ତ୍ତେ ଏହା ଦୁଇ ଘଣ୍ଟା ବିଳମ୍ବରେ ବାହାରିଛି । ଏହା ନେହେରୁ ଷ୍ଟାଡିୟମରୁ ବାହାରି କଚେରୀ ବଜାର, ରାଜଘାଟ, କୁଆଁସ, ଚନ୍ଦନ ବଜାର, ଶଙ୍କରପୁର, ଲାହାପଟି, ନଙ୍ଗା ମହଲା, ସନ୍ଥିଆ ଏବଂ ବଙ୍କସାହି ହୋଇ ଗାନ୍ଧୀ ପଡିଆରେ ପହଞ୍ଚିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
3 ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 3 ଜଣ କମାଣ୍ଡେଣ୍ଟ, 6 ଜଣ ଅତିରିକ୍ତ କମାଣ୍ଡେଣ୍ଟ, 17 ଜଣ ଡିଏସପି, 37 ଜଣ ଇନ୍ସପେକ୍ଟର, 70 ଜଣ ଏଶଆଇ/ଏଏସଆଇ ନିୟୋଜିତ ହୋଇଛନ୍ତି । ଏହାସହ 40 ପ୍ଲାଟୁନ ପୋଲିସ ଫୋର୍ସ, ଓଏସଏଏଫ୍, ଓଏସଏପି, ରାପିଡ ଆକ୍ସନ ଫୋର୍ସ 2 company ସହ 200ରୁ ଉର୍ଦ୍ଧ୍ବ ହୋମଗାର୍ଡ ଏବଂ କନଷ୍ଟେବଳ ମଧ୍ୟ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ଭଦ୍ରକର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ । ଭଦ୍ରକ ପରି ଏକ ସ୍ପର୍ଶକାତର ଅଞ୍ଚଳରେ ଏହି ପର୍ବ ପାଳନ କରିବା ପାଇଁ ଉଭୟ ସମ୍ପ୍ରଦାୟ ଏବଂ ପୋଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ