ବରଗଡ଼: ବରଗଡ଼ ଜିଲ୍ଲାରେ ଜୁନ୍ ୧୭ ସକାଳ ୫ଟାରୁ ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ୍ ମଧ୍ୟ ବରଗଡ଼ ଜିଲ୍ଲାରେ ଜାରି ରହିବ ବୋଲି ଜିଲ୍ଲା ସୂଚନା ଅଧିକାରୀ କଲ୍ୟାଣୀ ଦାସ ଜଣାଇଛନ୍ତି ।
ବରଗଡ଼ ଜିଲ୍ଲାରେ କୋରୋନା ସଂକ୍ରମଣର ସଂଖ୍ୟା କମିଥିବା ବେଳେ ନୂତନ ଗାଇଡ୍ ଲାଇନ ଅନୁସାରେ ବରଗଡ଼ ଜିଲ୍ଲାରେ ସକାଳ ୬ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ଖୋଲାରହିବ । ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ।
ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି । ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଲକଡାଉନ୍ କୋହଳ ସମୟରେ ଉଠା ଦୋକାନଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଦୋକାନରୁ କେବଳ ଖାଦ୍ୟ ପୁଡିଆ ପାର୍ସଲ ଭାବରେ ନେଇ ପାରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପ୍ରେସନୋଟ ମାଧ୍ୟମରେ ସୂଚନା ଦେଇଛନ୍ତି।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ