ବରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଠାତ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ | ଚିକିତ୍ସାଳୟର ସମସ୍ତ ବିଭାଗ ପରିଦର୍ଶନ କରି ରୋଗୀଙ୍କ ତଥା ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ସହିତ କଥାବାର୍ତ୍ତା ହୋଇ ସ୍ବାସ୍ଥ୍ୟ ସେବା ବାବଦରେ ପଚାରି ବୁଝିଥିଲେ | ମୋ ସରକାର ଯୋଜନାକୁ କିପରି ବରଗଡ଼ ଡାକ୍ତରଖାନାରେ ପାଳନ କରାଯାଉଛି ସେନେଇ ତଦାରଖ କରିଥିଲେ ସେ |
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିବାର ଆଗୁଆ ସୂଚନା ପାଇଥିଲେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଏବଂ ଡାକ୍ତର ମାନଙ୍କୁ । ତେଣୁ ଡାକ୍ତରଖାନା ପରିସର ସଫା ସୁତୁରା ଦେଖାଯାଉଥିଲା | ଡାକ୍ତରଖାନାରେ ଯେଉଁ ସମୟରେ ଗୋଟିଏ ଡାକ୍ତର ଛଡା ଅନ୍ୟ କୌଣସି ଡାକ୍ତର ରହୁ ନଥିଲେ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆସିବା ଖବର ପାଇଁ ସେହି ସମୟରେ ସମସ୍ତ ଡାକ୍ତର କାର୍ଯ୍ୟରତ ଥିବା ଦେଖିବାକୁ ମିଳିଥିଲା | ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାର ବିଭିନ୍ନ ରୋଗୀଙ୍କୁ ଦେଖି ଏଠାକାର ସ୍ବାସ୍ଥ୍ୟ ସେବା ବିଷୟରେ ପଚାରି ବୁଝିଥିଲେ ।
କେତେକ ରୋଗୀ ଡାକ୍ତରଖାନାର ନର୍ସ ମାନଙ୍କର ବ୍ୟବହାରକୁ ନେଇ ଅଭିଯୋଗ ଆଣିଥିବା ବେଳେ ବେଡ଼୍ ଦିଆଯାଉନଥିବାରୁ ତଳେ ରୋଗୀଙ୍କୁ ରଖାଯାଇ ସାଲାଇନ ଓ ରକ୍ତ ଦିଆଯାଉଥିବା ଜଣାଇଥିଲେ | ଅନ୍ୟପଟେ ନିଷ୍ଠା ସଙ୍ଗଠନ ପକ୍ଷରୁ ଅର୍ଥୋପେଡିକ ଡାକ୍ତର ଏହି ଡାକ୍ତରଖାନାକୁ ଯୋଗେଇଦେବା ପାଇଁ ଦାବି କରିଥିଲେ | ହାଡ ଡାକ୍ତର ଦୀର୍ଘ ଦୁଇ ବର୍ଷ ହେଲା ବରଗଡ ମୁଖ୍ୟ ଚିକିତ୍ସାଳଯରେ ନଥିବା ସ୍ବାସ୍ଥ୍ୟମନ୍ତ୍ରୀ ଜାଣିବା ପରେ ଜଣେ ଡାକ୍ତରଙ୍କୁ ଶୀଘ୍ର ଏଠାରେ ନିଯୁକ୍ତି ଦିଆଯିବ ବୋଲି କହିଥିଲେ |
ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜେ ସ୍ଵୀକାର କରିଥିଲେ ଯେ ଡାକ୍ତର ସଂଖ୍ୟା ବହୁତ କମ ରହିଥିବାରୁ ସମସ୍ତ ଡାକ୍ତରଖାନାର ଅବସ୍ଥା ଶୋଚନୀୟ ହୋଇପଡିଛି । ବରଗଡରେ ଖୁବ ଶୀଘ୍ର ସିଟି ସ୍କ୍ୟାନ ଓ ଏମଆରଆଇ ସୁବିଧା ଉପଲବ୍ଧ କରାଇବେ | କ୍ୟାନ୍ସର ହସ୍ପିଟାଲ ମଧ୍ୟ ବରଗଡରେ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ |
ବରଦଡ଼ରୁ ରାଜେଶ ସରାପ, ଇଟିଭି ଭାରତ