ବରଗଡ: ଶଙ୍ଖ ଚିହ୍ନରେ ଭୋଟ ଦବାଇଲେ EVM ମେସିନରୁ ଆସୁଛି ଶବ୍ଦ ମାତ୍ର ଅନ୍ୟ କୌଣସି ଚିହ୍ନରେ ଭୋଟ ଦେଲେ କୌଣସି ଶବ୍ଦ ଶୁଭୁ ନାହିଁ । EVM ରେ ଜାଣିଶୁଣି ତ୍ରୁଟି କରାଯାଇଥିବା ଅଭିଯୋଗ ଆଣି ମତଦାନକୁ ବନ୍ଦ କଲେ ଭୋଟର । ମାତ୍ର ଅଭିଯୋଗ ଭିତ୍ତିହୀନ, ତଦନ୍ତ ପରେ ଯଦି ଭୁଲ୍ ସାବ୍ୟସ୍ତ ହୁଏ ତେବେ ଜେଲ୍ ପଠାଇ ଦିଆଯିବ ବୋଲି ଉପଜିଲ୍ଲାପାଳ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଏପରି ଘଟଣା ଘଟିଛି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ 12 ନଂ ୱାର୍ଡର ବୁଥ ନଂ 34 ରେ । EVM ରେ ଏପରି ତ୍ରୁଟି କାରଣରୁ ଦୀର୍ଘ ସମୟ ଧରି ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି ଅନେକ ଭୋଟର । ଏହାର ପ୍ରକୃତ ଯାଞ୍ଚ ପରେ ଯାଇ ଭୋଟ ପ୍ରକ୍ରିୟା ପୁଣି ଆରମ୍ଭ କରାଯିବ ବୋଲି ଦାବି କରିଥିଲେ ଅନ୍ୟ ସବୁ ଦଳର କର୍ମୀମାନେ ।
ତେବେ ଏନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜି ଥିବାବେଳେ ଘଟଣାସ୍ଥଳକୁ ବରଗଡ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି EVM ତ୍ରୁଟି ବାବଦରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ଅଭିଯୋଗ ସତ ଏବଂ ଏଥିରେ ତ୍ରୁଟି ଥିବା ଜଣା ପଡିଥିଲା । ଫଳରେ EVM ବଦଳାଇ ଉପଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଲୋକଙ୍କୁ ବୁଝାସୁଝା କରିବା ପୁଣି ମତଦାନ ଆରମ୍ଭ ହୋଇଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ