ବରଗଡ଼ : ପାଣି ପାଇଁ ଗାଁ ମୁହାଁ ହେଉଛି ଭାଲୁ । ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପାଣି ପିଇବା ପାଇଁ ବ୍ୟବସ୍ଥା ନଥିବାରୁ ଏବେ ଗାଁ ମୁହାଁ ହେଉଛନ୍ତି ଜୀବଜନ୍ତୁ । ଗତକାଲି ଠାରୁ ଏହି ଅଞ୍ଚଳରେ ଗୋଟିଏ ଭାଲୁ ପାଣି ପିଇବା ପାଇଁ ବିଜୁ ଏକ୍ସପ୍ରେସ୍ ୱେ ରାସ୍ତା ଦେଇ ଯାଉଥିବାର ଭିଡିଓ ଚାରି ଆଡ଼େ ଘୁରି ବୁଲୁଛି । ଏହି ଭାଲୁଟି ବରଗଡ ଜିଲ୍ଲା ଘେଁସ୍ ରେଞ୍ଜ ଅଧୀନସ୍ଥ ଶନିମାଲ ଓ କୁଚିପାଲି ମଝିରେ ବୁଲୁଥିବା ଦେଖିବାକୁ ମିଳିଛି । ଝାଞ୍ଜ ପାହାଡ଼ରୁ ଖାଦ୍ୟ ଏବଂ ପାଣି ପାଇଁ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି ।
ସୂଚନାନୁସାରେ ବରଗଡ଼ ଜିଲ୍ଲାରେ କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ପ୍ରବଳ ଗୁଳୁଗୁଳି ହେଉଛି । ଏହି ସମୟରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ମଧ୍ୟ ଲାଗୁଛି । ଯାହାଦ୍ବାରା ପରିବେଶ ଗରମ ରହିବା ସହ ହଜାର ହଜାର ମୂଲ୍ୟବାନ ଗଛ ଜଳି ପୋଡ଼ି ପାଉଁଶ ହେଇଯାଉଛି । ଫଳରେ ଜଙ୍ଗଲ ଗୁଡ଼ିକ ଟାଙ୍ଗରା ହେଇଯାଇଛି ।
ସେପଟେ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ ଜଙ୍ଗଲରେ ପାଣି ପିଇବା ପାଇଁ ବ୍ୟବସ୍ଥା ନାହିଁ । ଯାହା ବ୍ୟବସ୍ଥା ଥିଲା ତାହା ମଧ୍ୟ ଶୁଖି ଯାଇଛି । ଅନ୍ୟପକ୍ଷରେ ଏବେ ପ୍ରବଳ ଖରା ଯୋଗୁଁ ଜଳାଶୟ ଗୁଡିକ ଶୁଖିଯିବା ସହ ମାଟି ଫାଟି ଆଁ କରିଛି । ତେଣୁ ବନ୍ୟଜନ୍ତୁ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ