ବାଲେଶ୍ବର: ଜିଲ୍ଲାର ଖଇରା ବ୍ଲକ କୁପାରି ଠାରେ ଥିବା ବିଶ୍ବାସର ପ୍ରତୀକ ଶୂନ୍ୟ ମଣ୍ଡପରେ ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା । ଯେଉଁଠି ଶୂନ୍ୟ ବ୍ରହ୍ମଙ୍କୁ ଆରାଧନା କରାଯାଇଥାଏ । ମଣ୍ଡପରେ ବର୍ଷକୁ ହେଉଥିବା ପର୍ବପର୍ବାଣି ମଧ୍ୟରେ ରାହାସ ପୂର୍ଣ୍ଣିମା ଅନ୍ୟତମ । ଏହି ଅବସରରେ କୁପାରି ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇଉଠିଛି । ଭୋର ୪ଟା ବେଳୁ ମଣ୍ଡପରେ ବ୍ରହ୍ମ ଯଜ୍ଞ ଅନୁଷ୍ଠିତ ହେବାପରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଲୋକ ମଣ୍ଡପରେ ପହଞ୍ଚି ଡଙ୍ଗା ଭସାଇବା ସହ ଶୂନ୍ୟ ବ୍ରହ୍ମଙ୍କୁ ଆରାଧନା କରିଥିଲେ ।
ମଣ୍ଡପର ପାଦୁକାର ବେଶ ଚମତ୍କାରିତା ଥିବାରୁ ଶ୍ରଦ୍ଧାଳୁମାନେ ପାଦୁକା ସେବନ ପାଇଁ ଲାଇନ ଲାଗିଥିଲେ । ଶୂନ୍ୟମଣ୍ଡପ ପରିଚାଳନା କମିଟି ପକ୍ଷରୁ ପୂର୍ଣ୍ଣମୀ ମେଳା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ ପାଇଁ ଭୋଗ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଯେତିକି ଭିଡ଼ ଜମିଥିଲା ମଣ୍ଡପ ବାହାରେ ମେଳା ଲାଗିଥିଲା । ଯେଉଁଠି ଶୂନ୍ୟ ବ୍ରହ୍ମଙ୍କୁ ଦର୍ଶନ ପରେ ଲୋକେ ମେଳା ବୁଲାବୁଲିର ମଜା ନେଇଥିବା ଦେଖିବାକୁ ମିଳିଥିଲା ।
ଶୂନ୍ୟ ମଣ୍ଡପର କିମ୍ବଦନ୍ତୀ: ଏହି ପବିତ୍ର ପୀଠର କିମ୍ବଦନ୍ତୀ ବହୁ ପୁରଣା । ଓଡ଼ିଶାର ପୁରପଲ୍ଲୀରେ ବେଶ ପରିଚିତ 'ଶିବକଳ୍ପ ସମୟ ନିର୍ଘଣ୍ଟ ମାଳିକା'ରେ ଏହି ପବିତ୍ର ପୀଠର ବର୍ଣ୍ଣନା କରାଯାଇଥିବା ଦେଖିବାକୁ ମିଳିଥାଏ । ଏହାର ଇତିହାସରୁ ଜଣାଯାଏ ଯେ, ଆଜକୁ ପ୍ରାୟ ୫୦୦ ବର୍ଷ ତଳେ ନିରାକାର ପରମବ୍ରହ୍ମଙ୍କ ନିର୍ଦ୍ଦେଶ ଅନୁସାରେ ଅଚ୍ୟୁତାନନ୍ଦ ଦାସ ଏଠାକୁ ଯୋଗ କରିବାକୁ ଆସିଥିଲେ । ତାଙ୍କର ରହଣି କାଳ ମଧ୍ୟରେ ସେ ଏଠାରେ ଯୋଗ ସାଧନା କରି ଯୋଗର ସିଦ୍ଧତ୍ବ ପ୍ରାପ୍ତ ହୋଇଥିଲେ । ଏଠାରେ ସିଦ୍ଧତ୍ବ ପ୍ରାପ୍ତି ହେଲା ପରେ ପରବର୍ତ୍ତୀ ସମୟରେ ସେ ସାରା ଓଡ଼ିଶା ଭ୍ରମଣ କରି ନିଜର ଧର୍ମବାଣୀ ପ୍ରଚାର ପ୍ରସାର କରିଥିଲେ ।
ଏହା ବି ପଢନ୍ତୁ- ପୋଖରୀରେ ଭାସିଲା 151 ଫୁଟ ଲମ୍ବର ଡଙ୍ଗା, ଦେଖିବାକୁ ଲୋକଙ୍କ ଭିଡ
ଅଚ୍ୟୁତାନନ୍ଦ ଦାସଙ୍କ ସିଦ୍ଧିତ୍ବ ପ୍ରାପ୍ତି ପାଇଁ ପବିତ୍ର ପୀଠଟି ବେଶ ଉପେଯାଗୀ ଥିଲା ବୋଲି ଜଣାଯାଏ । ଅଚ୍ୟୁତାନନ୍ଦ ଦାସଙ୍କ ପ୍ରସ୍ଥାନ ପରେ ଏହି ପବିତ୍ର ପୀଠଟି ଲୋକଲୋଚନର ଆଢୁଆଳରେ ବେଶ କିଛି ଦିନ ରହିଲା ମାତ୍ର ଶୂନ୍ୟବାସୀ ପରମବ୍ରହ୍ମଙ୍କ ନିର୍ଦ୍ଦେଶ ହେଲା ମହାରାଜା ପ୍ରଭାକର ଦାସଙ୍କୁ । ସେତେବେଳେ ତାଙ୍କୁ ୨୮ ବର୍ଷ ହୋଇଥାଏ । ସେ କୋଲକାତାର ଏକ ଚରଟ କଳରେ କାମ କରୁଥିଲେ । ଶୂନ୍ୟ ମହାପ୍ରଭୁଙ୍କର ବାରମ୍ବାର ସ୍ବପ୍ନାଦେଶ ଯୋଗୁଁ ପ୍ରଭାକର ଚାକିରି ଛାଡିଲେ ଏବଂ ପୂର୍ବରୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ ସଠିକ ଜାଗାରେ ପହଞ୍ଚିଲେ । ସ୍ବପ୍ନରେ ସେ ଯେଉଁ ଦୃଶ୍ୟ ଦେଖିଥିଲେ ତାହାକୁ ସେ ନିଜ ସ୍ବଚକ୍ଷୁରେ ଦେଖି ହତବାକ୍ ହୋଇଗଲେ । ପରେ ଶୂନ୍ୟ ମହାପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଏହି ପୀଠକୁ ଲୋକଲୋଚନକୁ ଆଣିବାକୁ ସଂକଳ୍ପ ନେଲେ ।
ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ଥିଲା ଦୀର୍ଘ ୫୦୦ ବର୍ଷ ପୂର୍ବେ ଅଚ୍ୟୁତାନନ୍ଦ ଦାସ ଯେଉଁ ପାଦୁକା କୁଣ୍ଡକୁ ବ୍ୟବହାର କରୁଥିଲେ ତାହା ମଧ୍ୟ ସେହି ସମୟ ପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ଥିଲା । ବିଭିନ୍ନ ଘାତ ପ୍ରତିଘାତ ଭିତରେ ପ୍ରଭାକରଙ୍କ ଅପ୍ରାଣ ଉଦ୍ୟମ ଯୋଗୁଁ ଏହି ଐତିହ ସମ୍ପନ୍ନ ପୀଠଟି ୧୯୩୬ ମସିହାରେ ପୁନର୍ବାର ଲୋକ ଲୋଚନକୁ ଆସିଥିଲା । ଏଠାରେ କୌଣସି ଦେବାଦେବୀଙ୍କ ମନ୍ଦିର ଏବଂ ମୂର୍ତ୍ତି ଦେଖିବାକୁ ମିଳେ ନାହିଁ । ଶୂନ୍ୟଶୂନ୍ୟ ମହାଶୂନ୍ୟରେ ବସବାସ କରୁଥିବା ନିରାକାର ପରମବ୍ରହ୍ମ ଶୂନ୍ୟବାସୀଙ୍କ ପାଇଁ ଏଠାରେ କେବଳ ଏକ ମଣ୍ଡପ ବ୍ୟତୀତ ଆଉ କିଛି ଦେଖିବାକୁ ମିଳେ ନାହିଁ ।
ଏଠାରେ ପଞ୍ଚ ଭୂତ ଯଥା ପୃଥିବୀ, ଜଳ, ବାୟୁ, ଅଗ୍ନି ଓ ଆକାଶକୁ ପୂଜା କରାଯାଇଥାଏ । ଏଠାରେ କେବଳ ଦିନକୁ ୨ଥର ସକାଳୁ ଏବଂ ସଂଧ୍ୟାରେ ପରମ ପିତାଙ୍କ ଉଦ୍ଦେଶ୍ୟରେ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ । ସମ୍ପୂର୍ଣ୍ଣ ବିଶ୍ବାସ ଉପରେ ପର୍ଯ୍ୟବେସିତ ଏହି ପୀଠରେ ଅନେକ ଭକ୍ତ ସେମାନଙ୍କର ଦୂରାରୋଗ୍ୟର ଉପଶମ ପାଇଁ ଏଠାକୁ ଆସୁଥିବା ଦେଖିବାକୁ ମିଳେ । ଡାକ୍ତରଙ୍କଠାରୁ ନିରାଶ ହୋଇ ଏଠାକୁ ଆସୁଥିବା କେତେକ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଯାଉଥିବାର ଲୋକ ଶ୍ରୁତି ମଧ୍ୟ ଶୁଣିବାକୁ ମିଳେ ।
ଏହି ପୀଠରେ ବର୍ଷକୁ ପ୍ରାୟତଃ ୬ଟି ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଇଥାଏ । ଏହି ସବୁ ଉତ୍ସବରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ ଦେଖିବାକୁ ମିଳିଥାଏ । ଅଗଷ୍ଟ ମାସରେ ଏହି ପୀଠରେ ପ୍ରଥମ ଉତ୍ସବ ଭାବେ ଭାଗବତ ଜନ୍ମ ପାଳନ କରାଯାଇଥାଏ । ଦ୍ବିତୀୟରେ କୁମାର ଉତ୍ସବ, ୩ୟରେ ମାର୍ଗଶୀର ବଡ ଏକାଦଶୀ, ୪ର୍ଥରେ ରାହାସ ପୂର୍ଣ୍ଣିମା, ୫ମରେ ବାବାଙ୍କ ମହାପାରାୟଣ ଦିବସକୁ ପାଳନ କରାଯାଉଥିବା ବେଳେ ଷଷ୍ଠ ଉତ୍ସବ ଭାବେ ଅଗ୍ନି ଉତ୍ସବକୁ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ ।
ଇଟିଭି ଭାରତ, ବାଲେଶ୍ବର