ବାଲେଶ୍ଵର: ଜିଲ୍ଲାର ପ୍ରମୁଖ ନଦୀ ଗୁଡିକ ଲଗାଣ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି । 2ଦିନ ହେଲା ଜଳକା ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବା ସହ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସେହିପରି ବୁଢ଼ାବଳଙ୍ଗ ନଦୀରେ ଏବେ ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢି ବିଭିନ୍ନ ଅଞ୍ଚଳର ରାସ୍ତା ଘାଟ ବୁଡିଛି। ବାଲିଘାଟରୁ ସିନ୍ଧିଆ ରାସ୍ତା ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଛି। ରାସ୍ତାରେ ଆଣ୍ଠୁଏ ପାଣିର ସୁଅ ଛୁଟିଛି। ସିନ୍ଧିଆ, ବଇଁଚା ଆଦି ଅଞ୍ଚଳ ଗୁଡିକରେ ଅନେକ ଲୋକ ଜଳବନ୍ଦୀ ଥିବା ଜଣାପଡିଛି।
ବୁଢ଼ାବଳଙ୍ଗ ନଦୀର ସ୍ରୋତ ଏବେ ପ୍ରଖର ଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଯେଉଁ ରାସ୍ତା କେବେ ବୁଡି ନଥିଲା ତାହା ଏବେ ବୁଡିଯାଇଛି। ଲୋକମାନେ ଯାତାୟତରେ ଅନେକ ଅସୁବିଧା ଭୋଗୁଛନ୍ତି। ଗୋରୁଗାଈମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଆହୁରି ପାଣି ବଢିବାର ଆଶଙ୍କା କରାଯାଉଥିବା ବେଳେ ନିଜେ ଜିଲ୍ଲାପାଳ ସମସ୍ତ ବନ୍ୟା ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ