ବାଲେଶ୍ବର: ବିଲରୁ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗ୍ରାମର ଏକ ଚାଷଜମିରୁ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର ମୃତଦେହ ଆନନ୍ଦ ଚନ୍ଦ୍ର ପତ୍ରିଙ୍କ ବୋଲି ଜଣାପଡିଛି । ସେ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଆନନ୍ଦ ଓ ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଫଳରେ ଆଜି ସକାଳୁ ଆନନ୍ଦଙ୍କ ମୃତଦେହ ଘରପାଖ ନିକଟ ଏକ ବିଲରୁ ମିଳିଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟପଟେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଆନନ୍ଦଙ୍କ ଘରର ସମସ୍ତ କାଗଜ ପତ୍ର, ମୋବାଇଲ ତଥା ବିଭିନ୍ନ ଜିନିଷ ଏଣେତେଣେ ପଡିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେହି ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ