ବାଲେଶ୍ବର: ଶନିବାର ସଂଧ୍ୟାରେ ଜିଲ୍ଲା ବଡ଼ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସାରେ ଅବହେଳା କାରଣରୁ ଏହି ମୃତ୍ୟୁ ହୋଇଥିବା ଅଭିଯୋଗ କରି ପ୍ରସୂତି ବିଭାଗ ସମ୍ମୁଖରେ ମୃତକର ପରିବାର ଲୋକ ଉତ୍ତେଜନା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।
ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦାସାରଗାଁର ରାଜେନ୍ଦ୍ର ବେହେରା ଶୁକ୍ରବାର ତାଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲ୍ଲା ବଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଇଥିଲେ। ଯନ୍ତ୍ରଣାରେ ସେ ଛଟପଟ ହେଉଥିବାବେଳେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ତାଙ୍କ ଅବସ୍ଥା ଠିକ୍ ଥିବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ସଂଧ୍ୟାରେ ଆସି ଜନ୍ମ ନେଇଥିବା ଶିଶୁ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ। ପ୍ରସୂତି ୱାର୍ଡ ଭିତରକୁ ପଶିବାକୁ ଅନୁମତି ନଥିବା ଯୋଗୁଁ ଏହାର ସୁଯୋଗ ନେଇ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କ ଉପଯୁକ୍ତ ଚିକିତ୍ସା କରାଇନାହାଁନ୍ତି । ଫଳରେ ନବଜାତକଟିର ମୃତ୍ୟୁ ହେଲା।
ଏଣୁ ଦାୟିତ୍ବରେ ଅବହେଳା କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ଏନେଇ ସିଡିଏମ୍ଓ ଏବଂ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ