ବଲାଙ୍ଗୀର: ଆମେରିକା ଫେରନ୍ତା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗୀର ସହର ଶାନ୍ତି ପଡ଼ାରେ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିବା ବେଳେ ସୋମବାର ସକାଳେ ଘର ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ନିହାରିକା ଦଳପତି । ସେ ଆମେରିକାରେ ପିଏଚଡି କରୁଥିଲେ । ଗତ 15 ଦିନ ହେବ ସେ ଛୁଟିରେ ବଲାଙ୍ଗୀର ଆସିଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ହୋଇଛି ।
ମୃତ ଛାତ୍ରୀଙ୍କ ଘର ଦୁମ୍ଦୁମି ହୋଇଥିବା ବେଳେ ସେ ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରେ ବଲାଙ୍ଗୀର ସହର ମଧ୍ୟରେ ରହୁଥିଲେ । ରବିବାର ରାତିରେ ସେ ସମସ୍ତଙ୍କ ସହ ଖାଇ ନିଜ ବେଡ଼ରୁମକୁ ଶୋଇବାକୁ ଯାଇଥିଲେ । ଏହାପରେ ଗତକାଲି ସକାଳେ ସେ କବାଟ ନଖୋଲିବାରୁ ଘର ଲୋକେ ସନ୍ଦେହ କରି କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଏହି ସମୟରେ ନିହାରିକା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସଙ୍ଗେସଙ୍ଗେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସମ୍ପର୍କୀୟ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ବଲାଙ୍ଗୀର ଟାଉନ ପୋଲିସ ଏନେଇ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି । ପ୍ରାଥମିକ ତଦନ୍ତରୁ ଛାତ୍ରୀ ଜଣଙ୍କର କୌଣସି କାରଣରୁ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ପୋଲିସ ସନ୍ଦେହ କରିଛି । ମୃତ ଛାତ୍ରୀ ଜଣଙ୍କର ବାପା ନଥିବା ବେଳେ ନିଜ ପରିଶ୍ରମ ବଳରେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଯାଇ ସେଠି ପିଏଚଡି କରୁଥିଲେ।
ଏହା ମଧ୍ୟ ପଢନ୍ତୁ-Sambalpur Violence: ଆଉ 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା
ମୃତକଙ୍କ ସମ୍ପର୍କୀୟ ଭାଇ ଧୁବଳେଶ୍ୱର ଦଳପତିଙ୍କ କହିବା ଅନୁସାରେ ନୀହରିକା ଦଳପତି କିଛି ଦିନ ହେବ ଆମେରିକାରୁ ଫେରି ଆମ ଘରେ ରହୁଥିଲେ। ରବିବାର ରାତିରେ ଖାଇବା ପରେ ସେ ନିଜ ରୁମକୁ ଯାଇଥିଲା। କିନ୍ତୁ ସକାଳ ସମୟରେ କବାଟ ନଖୋଲିବାରୁ ନିଜେ ସେମାନେ କବାଟ ଭାଙ୍ଗି ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ଯେଉଁଠି ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟୁର କାରଣ ସେମାନେ ମଧ୍ୟ ଜାଣି ନଥିବା କହିଛନ୍ତି ଧୁବଳେଶ୍ୱର । କେଉଁ କାରଣରୁ ନିହାରିକାଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ବଲାଙ୍ଗୀର