ବଲାଙ୍ଗୀର: ହକ ପାଇଁ ତାତିଲେ ଆଦିବାସୀ। ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରୁ ଉଚ୍ଛେଦକୁ ନେଇ ଆଦିବାସୀ ତୀବ୍ର ବିରୋଧ କରିଥିବା ଦେଖା ଦେଇଛି । ଏହାକୁ ନେଇ ରାଜ୍ୟ ସାରା ଆନ୍ଦୋଳନ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ।
ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାତିଲେ ଆଦିବାସୀ। ଏଥିପାଇଁ ବଲାଙ୍ଗୀରରେ ଆଦିବାସୀ ପ୍ରମୁଖ ନେତାଙ୍କ ମହା ମେଳି ଆୟୋଜିତ ହୋଇଛି। ଏହି ସମାବେଶରେ ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ତଥା କନ୍ଧମାଳ ଜିଲ୍ଲାର ପ୍ରମୁଖ ଆଦିବାସୀ ନେତା ସାମିଲ ହୋଇଥିଲେ। ଆଗକୁ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ଅନୁସୂଚିତ ଜନଜାତିଙ୍କ ଉପରେ ସରକାର ଅଣଦେଖା କରିଥିବା ଅଭିଯୋଗ ରହିଛି । ଅଭିଯୋଗ ଅନୁଯାୟୀ ରାଜ୍ୟର 23 ଟି ଜିଲ୍ଲାର 195 ଟି ବ୍ଲକ ଓ 5 ହଜାର 97 ଟି ଗ୍ରାମ ପଞ୍ଚାୟତରେ ଆଦିବାସୀଙ୍କୁ ସଂରକ୍ଷଣ ତାଲିକାରେ ସ୍ଥାନ ଦିଆଯାଇ ନାହିଁ। ଯାହାକୁ ନେଇ ତୀବ୍ର ବିରୋଧ କରାଯିବା ସହ ସରକାର ଆଦିବାସୀ ବିରୋଧୀ ନୀତି ଅବଲମ୍ବନ କରୁଥିବାର ଏମାନେ କହିଛନ୍ତି।
ରାଜ୍ୟ ସରକାରଙ୍କ ଏଭଳି ନୀତି ନେଇ ତାଙ୍କୁ ରାଜନୈତିକ ବାସନ୍ଦ କରିବା ସହ ନିଜ ସମ୍ବିଧାନ ପ୍ରଦତ୍ତ ହକ ପାଇଁ ଲଢେଇ କରିବେ ବୋଲି କହିଛନ୍ତି। ତେବେ ଆଗାମୀ ୩ ତାରିଖରୁ ସାରା ଓଡ଼ିଶାରେ ସସତ୍ର ଆନ୍ଦୋଳନ କରିବା ନେଇ ଆଦିବାଦୀ ନେତାମାନେ ଚେତାବନୀ ଦେଇଛନ୍ତି । ଏବଂ ଏହି ଆନ୍ଦୋଳନ ବଲାଙ୍ଗୀରରୁ ଆରମ୍ଭ ହେବ ବୋଲି ଏମାନେ ଚରମବାଣି ଶୁଣାଇଛନ୍ତି।
1950 ମସିହାରୁ ଭାରତୀୟ ସମ୍ବିଧାନ ଧାରା 243 ଡି ଅନୁଛେଦ 1 ରୁ ପାଞ୍ଚ ପର୍ଯ୍ୟନ୍ତ ଆଦିବାସୀଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦିଆ ଯାଇଛି। ହେଲେ ଓଡ଼ିଶା ସରକାର ତାର ବିରୋଧ ରେ ଯାଇଥିବାର ଅଭିଯୋଗ କରାଯାଇଛି। ସରକାର ଆଦିବାସୀ ବିରୋଧୀ ମନୋଭାବ ପୋଷଣ କରିବା ସହ ସରକାର ହିଁ ଆଦିବାସୀଙ୍କୁ ଯୁଦ୍ଧ କରିବାକୁ ଡାକରା ଦେଇଥିବାର କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି। ଏବଂ ସମ୍ବିଧାନକୁ ରକ୍ଷା କରିବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପୂର୍ବରୁ ଅଡ଼ୁଆରେ ଥିବା ରାଜ୍ୟ ସରକାରଙ୍କ ପାଇଁ ଏବେ ଆଦିବାସୀ ଆନ୍ଦୋଳନ ଆହୁରି ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଇଛି।
ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ