ବଲାଙ୍ଗୀର: ଧୂମଧାମ୍ରେ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ସବୁଠି ଜମୁଛି ନାଚଗୀତର ଆସର । ପାରମ୍ପରିକ ନାଚ ଗୀତରେ ଝୁମୁଛନ୍ତି ଲୋକେ । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବା ପରେ ଆରମ୍ଭ ହୋଇ ଯାଇଛି ଜୁହାର ଭେଟ କାର୍ଯ୍ୟକ୍ରମ । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏହାର ଅନେକ ଝଲକ ଦେଖିବାକୁ ମିଳିଛି(Nuakhai festival celebrated in Balangir ) । ଏଠାରେ ଦେବୀ ମାଆ ପାଟନେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଛି ।
ସଂଗ୍ରହ ହୋଇଛି ନୂଆ ଧାନ
ଆଜିଠୁ ଦୁଇ ଦିନଧରି ପାଳନ ହେବ ନୂଆଁଖାଇ । ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ନୀତି ପରମ୍ପରା ଅନୁଯାୟୀ ଏହି କୃଷିଭିତ୍ତିକ ପର୍ବ ପାଇଁ ଅମଳ ହୋଇଥିବା ଧାନକୁ ଭକ୍ତିର ସହ ସଂଗ୍ରହ କରିଛି ଚାଷୀ । ଏହାପରେ ସେଥିରୁ ପ୍ରସ୍ତୁତ ହୋଇଛି ଚୁରା ଗୁଣ୍ଡା । ଏହାକୁ ଦେବୀଙ୍କ ନିକଟରେ ଲାଗି କରାଯାଇଛି । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାପରେ ଅମଳ ହେଉଥିବା ଶସ୍ୟକୁ ବର୍ଷସାରା ଆହରଣ କରିବ ଚାଷୀ ।
ନୂଆଁଖାଇରେ ପରିବାର ଏକାଠି
ଘରେଘରେ ଲୋକେ ଏକାଠି ନୂଆଁଖାଇ ପାଳୁଛନ୍ତି । ପ୍ରତ୍ୟେକଙ୍କ ଘରେ ସୁସ୍ବାଦୁ ଭୋଜନ ପ୍ରସ୍ତୁତି ହୋଇଛି । ଘର ବଡ଼ କିମ୍ବା ମାଆମାନେ ପ୍ରତ୍ୟେକଙ୍କୁ ବସାଇ ସୁସ୍ବାଦୁ ବ୍ୟଞ୍ଜନ ପରଶି ଦେଉଥିବା ଦେଖିବାକୁ ମିଳିଛି । ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ଏହି ଗଣପର୍ବ ପାଳନରେ ସାମାନ୍ୟ ବାଧା ଉପୁଜିଥିଲା । ରାଗଋଷା ଭୁଲି ଇଷ୍ଟଦେବୀଙ୍କ ନିକଟରେ ସମର୍ପଣ ଭାବର ସହିତ ବଲାଙ୍ଗୀରରେ ପାଳିତ ହେଉଛି ନୂଆଁଖାଇ ।
ଜୁହାର ଭେଟ କାର୍ଯ୍ୟକ୍ରମ
ନୂଆଁ ଖାଇ ସାରିବା ପରେ ଆରମ୍ଭ ହୋଇଛି ଜୁହାର ଭେଟ କାର୍ଯ୍ୟକ୍ରମ । ସାନମାନେ ବଡ଼ମାନଙ୍କୁ ଜୁହାର ହୋଇଛନ୍ତି । ସେପଟେ ବଡ଼ମାନେ ମଧ୍ୟ ସାନମାନଙ୍କୁ ସ୍ନେହ ଓ ଆଶୀର୍ବାଦ ଦେଇଛନ୍ତି । ଏହାପରେ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ନୂଆଁଖାଇକୁ ପାଳନ କରିବାରେ ମଜ୍ଜି ଯାଇଛନ୍ତି ଲୋକେ । ଏକତା ଓ ନୂତନତ୍ବର ଏହି ପର୍ବକୁ ସମସ୍ତେ ପାଳନ କରୁଛନ୍ତି।
ଗୀତ ପ୍ରସ୍ତୁତ କରିଛନ୍ତି ଗୀତିକାର
ନୂଆଁଖାଇ ଅବସରରେ ଗୀତିକାର ସ୍ବତନ୍ତ୍ର ଗୀତ ପ୍ରସ୍ତୁତ କରିଛନ୍ତି । ଏହି ଗୀତକୁ ଇଷ୍ଟଦେବୀ ଓ ଲୋକଙ୍କ ପାଇଁ ସମର୍ପି ଦେଇଛନ୍ତି । ଏହାକୁ ନେଇ ଗୀତିକାର ବ୍ୟାସଦେବ ପୁରୋହିତ କହିଛନ୍ତି, "କେବଳ ପଶ୍ଚିମ ନୁହେଁ ପୂରା ଓଡ଼ିଶାର ଗଣପର୍ବ ହେଉଛି ନୂଆଁଖାଇ । ଏଥିପାଇଁ ସଭିଙ୍କ ମନରେ ଉତ୍ସାହ ଭରି ରହିଥାଏ । ଏଥିପାଇଁ କଳାକାରମାନେ ଗୀତ ପ୍ରସ୍ତୁତ କରି ନୂଆଁଖାଇକୁ ପାଳନ କରିଥାଆନ୍ତି ।"
ନୂଆଁଖାଇର ମାହାତ୍ମ୍ୟ କହିଲେ ଲୋକ ସଂସ୍କୃତି ଗବେଷକ
ଏହା ହେଉଛି ଶସ୍ୟର ପର୍ବ, ଏହା ହେଉଛି ମାଟିର ପର୍ବ, ବଡ଼ମାନଙ୍କୁ ସମ୍ମାନ ଦେବାର ପର୍ବ ହେଉଛି ନୂଆଁଖାଇ । ଏହାକୁ ନେଇ ବିସ୍ତୃତ ଭାବରେ ବୁଝାଇଛନ୍ତି ଲୋକ ସଂସ୍କୃତି ଗବେଷକ ଜଗଦାନନ୍ଦ ଛୁରିଆ, "ଯେଭଳି କେହି ଅଖିଆ ପିଆ ରହିବେ ନାହିଁ । ଏହା ଆମକୁ ଆମ ପୂର୍ବଜ ଶିକ୍ଷା ଦେଇ ଯାଇଛନ୍ତି । ଏହି ନୀତିକୁ ଉଜ୍ଜିବୀତ ରଖିବା ପାଇଁ ନୂଆଁଖାଇ ପର୍ବ ପାଳନ ହୋଇ ଆସୁଛି । ମାଆଙ୍କ କରୁଣାରୁ ଆମେ ଅନ୍ନ ମୁଠେ ପାଉଛୁ । ଯିଏ ବି ଯେଉଁସ୍ତରରେ ରହିଛି ସମସ୍ତେ ସମାନ । ତାହା ହିଁ ଶିକ୍ଷା ଦିଏ ନୂଆଁଖାଇ ପର୍ବ ।"
ଏହାକୁ ନେଇ ବଲାଙ୍ଗୀରର ଧର୍ମଗୁରୁ ସ୍ବାମୀ ପରମହଂସ ସରସ୍ଵତୀ ମହାରାଜ କହିଛନ୍ତି, "ସମ୍ବଲପୁର ମାଆ ସମଲେଶ୍ବରୀ, କଳାହାଣ୍ଡିର ମାଆ ମାଣିକେଶ୍ବରୀ, ବଲାଙ୍ଗୀରରେ ମାଆ ପାଟଣେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀ ତଥା ଅନ୍ୟାନ ସ୍ଥାନରେ ଯେଉଁ କୂଳ ଦେବତା ରହିଛନ୍ତି ସେମାନଙ୍କୁ ନବାନ୍ନ ଲାଗି କରାଯାଏ । ଏହା ଆମ ସନାତନ ଧର୍ମ ଓ ନୀତି । ଆମେ ଯେକୌଣସି ଜିନିଷ ନୂଆ ପ୍ରାପ୍ତ କରିବା ପୂର୍ବର ଆମେ ଆମ ଇଷ୍ଟ ଦେବାଦେବୀଙ୍କ ନିକଟରେ ଲାଗି କରିଥାଉ । ଆଜିର ଦିନରେ ପଶ୍ଚିମ ଓଡ଼ିଶାର ଲୋକେ ଜମିରୁ ଅମଳ ପ୍ରଥମ ନୂଆ ଶସ୍ୟ ନିଜ ଇଷ୍ଟ ଦେବୀଙ୍କ ନିକଟରେ ଲାଗି କରିଥାଆନ୍ତି । ଏହା ସାରା ବିଶ୍ବରେ ନୂଆଁଖାଇ ପର୍ବ ରୂପରେ ଜଣାଶୁଣା ।"