ବଲାଙ୍ଗୀର: ଭଡ଼ାଘରୁ ମିଳିଲା କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ । ଛାତ୍ରଜଣକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗ୍ରାମବାସୀ ହୋଇଥିବାବେଳେ, ବଲାଙ୍ଗୀରରେ ଏକ ଭଡା ଘରେ ରହୁଥିଲେ । ଆଜି (ଗୁରୁବାର) ତାଙ୍କର ମୃତଦେହ ସେ ରହୁଥିବା ଭଡାଘରୁ ଉଦ୍ଧାର ହୋଇଛି । ତେବେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ସ୍ଥାନୀୟ ପୋଲିସ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରିଛି ଓ ଅଧିକ ତଦନ୍ତ ଆରମ୍ଭ କରିଛି ।
ମୃତ କଲେଜ ଛାତ୍ର ଜଣକ ରମଣି କାନ୍ତ ଖେତି ବୋଲି ଜଣା ପଡ଼ିଥିବାବେଳେ ସେ ବଲାଙ୍ଗୀର ରାଜେନ୍ଦ୍ର ୟୁନଭର୍ସିଟିରେ ଯୁକ୍ତ ତିନିର ଦ୍ଵିତୀୟ ବର୍ଷ ଛାତ୍ର ଥିଲେ । ସେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗ୍ରାମର ନିବାସୀ ବୋଲି ଜଣାପଡିଛି । ତେବେ ଗତ ରାତିରେ ସେ ରହୁଥିବା ଭଡା ଘର କବାଟ ବନ୍ଦ ଥିବା ଦେଖି ସାଙ୍ଗମାନେ ଘର ମାଲିକ ଓ ପୋଲିସକୁ ଖବର ଦେଇଥିଲେ ।
ଏହା ବି ପଢନ୍ତୁ- ଗଣ୍ଡଗୋଳରୁ ଗଡିଲା ମୁଣ୍ଡ, ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ମୃତ
ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜକୁ ମୃତଦେହ ପଠାଇଛି । ଅନ୍ୟପଟେ ଛାତ୍ରଙ୍କ ପରିବାର ଏ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ଯାହାକୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ସେହିପରି ଭଡା ଘର ମାଲିକ ଓ ସାଙ୍ଗମାନଙ୍କୁ ପୋଲିସ ପଚରାଉଚରା କରୁଥିବାର କହିଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି ।
ମୃତକ ଜଣକ କବାଟ ନ ଖୋଲିବା ପରେ ବନ୍ଧୁଙ୍କ ସନ୍ଦେହ ଜାତ ହୋଇଥିଲା । ସେମାନେ ଝରକା ପଟେ କବାଟ ଖୋଲିବା ପରେ ଭିତରକୁ ଯାଇଥିଲେ । ଏହାପରେ ସେମାନଙ୍କର ସନ୍ଦେହ ଜାତ ହେବା ପରେ ସେମାନେ ଘର ମାଲିକ ଓ ପୋଲିସକୁ ଖବର ଦେଇଥିଲେ । ମୃତକ ଜଣକ ଗତକାଲି ରାତିରେ ଜଣେ ବନ୍ଧୁକୁ ୧୦୦ ଟଙ୍କା ମାଗିଥିବା ମଧ୍ୟ ଜଣାପଡ଼ିଛି । ପୋଲିସ ମୃତ ଛାତ୍ରର ବନ୍ଧୁ ଓ ଘର ମାଲିକକୁ ଅଧିକ ପଚରାଉଚରା କରିଛି । ସେପଟେ ଛାତ୍ର ଜଣକ ମେଧାବୀ ଛାତ୍ର ହୋଇଥିବାବେଳେ ତାର କାହା ସହ ଶତ୍ରୁତା ନଥିଲା ବୋଲି ପରିବାର କହିଛି ।
ଇଟିଭି ଭାରତ, ବଲାଙ୍ଗୀର