ବଲାଙ୍ଗୀର: ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ସବୁବେଳେ ପାତର ଅନ୍ତର ନୀତି ଆପଣାଇ ଉପେକ୍ଷା କରୁଥିବାର ଅଭିଯୋଗ ଆଣିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ପ୍ରଥମେ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାର 9ଟି ଜିଲ୍ଲାକୁ ଉପେକ୍ଷା କରାଯାଇଥିବା ବେଳେ ଏବେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ବୈମାତୃକ ମନୋଭାବ ନେଇ ଘୋର ଅବହେଳା କରିଥିବାର ଅଭିଯୋଗ କରିଛନ୍ତି ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ।
ତେବେ ରାଜ୍ୟ ସରକାର କେବଳ ପୂର୍ବାଞ୍ଚଳର ଚିନ୍ତା କରି କଟକ ମେଡିକାଲ୍ କଲେଜର ଉନ୍ନତି ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ହେଲେ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ବୁର୍ଲା ଭୀମସାର ମେଡିକାଲ କଲେଜକୁ ସବୁବେଳେ ଉପେକ୍ଷା କରିଥିବାର ସେ କହିଛନ୍ତି । ସମାନ ଭାବରେ ଏଠି ମଧ୍ୟ ଇକମୋ ମେସିନ ଲଗାଯିବାର ଦାବି କରିଛନ୍ତି ଏବଂ ଏଥିପାଇଁ ତାଙ୍କର ଅଧ୍ୟକ୍ଷତାରେ ବୁଧବାର ଜିଲ୍ଲା ବିଜେପି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏକ 11 ଦଫା ଦାବି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଦାବି ପୂରଣ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ