ଅନୁଗୋଳ: ସ୍ବାଧୀନତା ର 74 ବର୍ଷ ପରେ ବି ଲୋକେ ଦେଖି ନାହାନ୍ତି ବିଜୁଳି ବତୀ । ପିଲାଏ ଡିବିରୀ ଆଲୁଅ ରେ ପାଠ ପଢୁଛନ୍ତି । ଏହା କୋଉ ଅପହଞ୍ଚ ଇଲାକା ର ଦୃଶ୍ୟ ନୁହେଁ । ବରଂ ଏହା ହେଉଛି ନିଜେ ରାଜ୍ୟ ପାଇଁ ବିଜୁଳି ଉତ୍ପାଦନ କରୁଥିବା ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କିମି ଦୂରରେ ଥିବା ଏକ ଗାଁ ର ଦୃଶ୍ୟ । ତାର ଲାଗିଛି, ମିଟର ବସିଛି ହେଲେ ବିଜୁଳିର ଦେଖା ନାହିଁ । ଅନୁଗୋଳ ବ୍ଲକ ଆଙ୍କୁଲା ଗାଁ ରେ ବିନା ବିଜୁଳିରେ ଚଳୁଛନ୍ତି ପ୍ରାୟ ୭୦ ରୁ ଅଧିକ ପରିବାର । ବିଜୁଳି ସଂଯୋଗ କରିବ ବୋଲି କହି ଠକି ଚାଲିଛି ବିଭଗ । ପ୍ରାୟ ୩ ବର୍ଷ ହେବ ତାର, ମିଟର ଲଗାଇ ସତେ ଯେମିତି ବିଭଗ କାମ ତୁଲାଇ ବସିପଡିଛି ।
ଆଙ୍କୁଲା ଗାଁକୁ ସୌଭାଗ୍ୟ ଯୋଜନାରେ ବିଜୁଳି ଦେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ଯାଇଥିଲା । ହେଲେ ତାହା ଅଧାପନ୍ତରିଆ ହୋଇ ପଡି ରହିଛି । ଫଳରେ ଗାଁ କୁ ବିଜୁଳି ଆସିବ ବୋଲି ଲୋକେ ଚାତକ ଭଳି ଚାହିଁ ରହିଛନ୍ତି । ସେପଟେ ବିଭାଗ ଆଜି ଦେବ କାଲି ଦେବ ବୋଲି କହି କେବଳ ଦିନ ଗଡାଇ ଚାଲିଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗାଁ ଲୋକେ । ଏନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ । ତାଙ୍କ କହିବା କଥା ଯେଉଁ ଠିକାସଂସ୍ଥା ଏହି କାମ ନେଇଥିଲା ଅଧାରୁ କାମ ଛାଡି ଦେଇଛି । ପୁଣି ଆଉ ଥରେ ରି-ଟେଣ୍ଡର କରାଯାଇ ବାକି ଯାହା କାମ ଅଛି ସାରିବା ପରେ ଲୋକଙ୍କୁ ବିଜୁଳି ଯୋଗାଇ ଦିଆଯିବ ।
ଦୀପ ତଳ ଅନ୍ଧାର ଭଳି ଏହି ଗାଁର ଅବସ୍ଥା । ଯଦି ବିଜୁଳି ଉତ୍ପାଦନ ହେଉଥିବା ଜିଲ୍ଲାରେ ଲୋକେ ବିଜୁଳି ପାଇ ପାରୁନାହାନ୍ତି ତେବେ କିଭଳି ଲୋକଙ୍କୁ ସରକାରୀ ଯୋଜନା ଯୋଗାଇ ଦିଆଯାଉଛି ତାହା ସ୍ପଷ୍ଟ ଅନୁମେୟ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ