ଅନୁଗୋଳ: ଯୋଗମାୟାଙ୍କ ବିଦାୟ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଧନଦାତ୍ରୀ । ଗଜଲକ୍ଷ୍ମୀ ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ ସହର । ଏଥର ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ମା'ଙ୍କ ପୂଜା ବେଶ ଧୁମଧାମରେ ହେଉଛି । କେବଳ ସହରରେ ୨୯ଟି ମଣ୍ଡପରେ ମହାଲକ୍ଷ୍ମୀ ପୂଜା ପାଉଛନ୍ତି । ଏଥିପାଇଁ ସାରା ସହର ସଜେଇ ହୋଇଛି ।
କୁମାର ପୂର୍ଣ୍ଣିମା ଦିନ ଠାରୁ ମା'ଙ୍କୁ ଆବାହନ ବିଧି ରହିଥିଏ । ଏହି ପରିପ୍ରେକ୍ଷୀରେ ସମସ୍ତ ମଣ୍ଡପରେ ବିଧି ପୂର୍ବକ ପୂଜାର୍ଚ୍ଚନା ହୋଇଛି । ରବିବାର ବିଳମ୍ବିତ ରାତିରେ କଳସ ଯାତ୍ରା କରି ମଣ୍ଡପ କର୍ମକର୍ତ୍ତାମାନେ ଗଙ୍ଗା ଆବାହନ କରିବା ସହ ଆବାହନୀ ପୂଜା କରାଯାଇଥିଲା । ମା'ଙ୍କ ପ୍ରାଣପ୍ରତିଷ୍ଠା ଚକ୍ଷୁ ଦାନ ପରେ ଷୋଡ଼ଶ ଉପଚାରରେ ପୂଜା ଆରମ୍ଭ ହେଉଛି । ଗଜଲକ୍ଷ୍ମୀ ପୂଜା ନେଇ ସମଗ୍ର ଅନୁଗୋଳ ସହର ରଙ୍ଗୀନ ଆଲୋକରେ ସଜେଇ ହୋଇଛି । ସହର ସାରା ଛାଇ ଯାଇଛି ଆଲୋକରମାଳା ।
ଏହା ମଧ୍ୟ ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଜମୁଛି ଗଜଲକ୍ଷ୍ମୀ ପୂଜା, ସହରକୁ ଜଗିଛନ୍ତି ୨୦ପ୍ଲାଟୁନ ପୋଲିସ ଫୋର୍ସ
ଚଳିତ ଥର ପୂଜାରେ କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛନ୍ତି ଗୁରୁତ୍ଵ । ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଓ କାରିଗର ମୂର୍ତ୍ତି ନିର୍ମାଣ କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳରେ ବେଶ ଧୁମଧାମରେ ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି । ମା'ଙ୍କ ଦର୍ଶନ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୱାନ ୱେ ଟ୍ରାଫିକ ବ୍ୟବସ୍ଥା ସହ ତିନିଜଣ ଅତିରିକ୍ତ ଏସ୍ପିଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି ।
ଇଟିଭି ଭାରତ, ଅନୁଗୋଳ