ଅନୁଗୋଳ: ସ୍କୁଲ ଉଚ୍ଛେଦ ଦାବିରେ ଗାଁ ଲୋକେ । ସରକାରୀ ଜମିରେ ହୋଇଥିବା ବେସରକାରୀ ସ୍କୁଲକୁ ଉଚ୍ଛେଦ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ପୋକ ତୁଙ୍ଗା ଗ୍ରାମବାସୀ ।
ଗାଁର ବହୁ ଲୋକେ ଏକାଠି ହୋଇ ତାଙ୍କ ଗାଁରେ ଥିବା ସରକାରୀ ଜମିରେ ହୋଇଥିବା ଶିଶୁ ମନ୍ଦିରକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଗାଁ ଯେଉଁ ଜମି ପୋଲିସ ଫାଣ୍ଡି ପାଇଁ ରଖାଯାଇଥିଲା, ସେଠାରେ ବେଆଇନ ଭାବେ ଶିଶୁ ମନ୍ଦିର କରାଯାଇଛି । ତାହା ପୁଣି ସରକାରୀ ସ୍କୁଲକୁ ଲାଗି ।
ତୁରନ୍ତ ସେ ସ୍କୁଲକୁ ଉଚ୍ଛେଦ କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ ଓ ଗାଁ ଜମିକୁ ଗାଁର ଅନ୍ୟ ଉନ୍ନତି କାମରେ ଲଗାଯାଉ ବୋଲି ସେମାନେ ଦାବି କରିଛନ୍ତି । ପୂର୍ବରୁ ସେଇ ଶିଶୁ ମନ୍ଦିରର ମାଲିକ ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ଥାନାରେ ଚୁକ୍ତିନାମା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ହୋଇ ନଥିବାରୁ ପୁଣି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୋକ ତୁଙ୍ଗା ଗାଁ ଲୋକେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ