ଅନୁଗୋଳ: ଭାଙ୍ଗିଲା 30 ବର୍ଷର ପରମ୍ପରା ! ଏଥର ଆଲୁମିନିୟମ ନଗରୀରେ ପୂଜା ପାଇବେନି ବିଶ୍ବ ନିର୍ମାତା । କୋରୋନା କଟକଣା ପାଇଁ ଏଥର ପୂଜାକୁ ବନ୍ଦ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ।
ସମଗ୍ର ଓଡ଼ିଶାର ଆଲୁମିନିୟମ ନଗରୀ ଭାବେ ପରିଚିତ ଅନୁଗୋଳ ଜିଲ୍ଲାର ନାଲକୋ ନଗର । ଯେଉଁ ନଗରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ଵକର୍ମା ପୂଜାର ବହୁ ସୁନାମ ରହିଛି । ଏଠାକାର ସାଜସଜା ମୂର୍ତ୍ତି ନିର୍ମାଣ ସବୁ ବେଶ ନିଖୁଣ ଓ ଆକର୍ଷଣୀୟ । ହେଲେ ଏଥର ଏସବୁ ଆଉ ଦେଖିବାକୁ ମିଳିବନି । ରାତି ପାହିଲେ ବିଶ୍ବନିର୍ମାତାଙ୍କ ଧରାବତରଣ । ଏଥିପାଇଁ ଉତ୍ସବ ମୁଖରିତ ହେବା କଥା ନାଲକୋ ନଗର। କିନ୍ତୁ ଏଥର ସବୁ ବନ୍ଦ ହୋଇଛି । କାରଣ କୋରୋନାର କଟକଣା ପାଇଁ ଭାଙ୍ଗିଛି 30 ବର୍ଷର ପରମ୍ପରା । ଏଥର କେବଳ କମ୍ପାନୀ ମଧ୍ୟରେ ବିଶ୍ଵକର୍ମାଙ୍କ ଫଟୋ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ବିଷାଦ ଭରିଯାଇଛି ।
ଏଠାରେ 23 ମଣ୍ଡପରେ ଆଠ ଦିନ ବ୍ୟାପୀ ପୂଜା ହୁଏ । ବହୁ ଜନସମାଗମ ମଧ୍ୟ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ପୂଜାକୁ କେବଳ ଫଟୋ ମଧ୍ୟରେ ସୀମିତ ରଖିଛନ୍ତି କର୍ତ୍ତୃପକ୍ଷ । କୋରୋନା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଯାହାକୁ ନେଇ ସମସ୍ତେ ଦୁଃଖୀ । କାରଣ ସେଇ ଆଠ ଦିନର କୋଳାହଳରେ ରୋକ ଲାଗିଛି । ଉତ୍ସବ ବନ୍ଦ ହୋଇଥିବାରୁ ଏହି ଉତ୍ସବ ପାଇଁ ରୋଜଗାର ପାଉଥିବା ଅନେକ ଛୋଟ ଓ ବଡ ବ୍ୟବସାୟୀ ଏବେ କ୍ଷତି ସହିବେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ