ଅନୁଗୋଳ: ତାଳଚେରରେ ବ୍ରାଉନସୁଗାର କାରବାର ଘଟଣାରେ ୩ ଅଭିଯୁକ୍ତ ଗିରଫ କଲା ପୋଲିସ । ତାଳଚେର ଅନ୍ତର୍ଗତ ବାଘୁଆବୋଲ ଅଞ୍ଚଳର ସାଉଥବଲଣ୍ଡା ରେସକ୍ୟୁ କଲୋନୀରୁ ୧୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି କୋଲିୟରୀ ଥାନା ପୋଲିସ ।
ଏହି ମାମଲାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ରେସକ୍ୟୁ କଲୋନୀ ଅଞ୍ଚଳର ମନୋଜ ସାହୁ ଏକ ମୋଟରସାଇକେଲରେ ୯୭ ଗ୍ରାମ ବ୍ରାଉନସୁଗାର ଧରି ବଲଣ୍ଡା ଅଞ୍ଚଳକୁ ଯାଉଥିବାବେଳେ କୋଲିୟରୀ ପୁଲିସ ଖବର ପାଇ ତାକୁ ଡ଼େରା ଛକରେ ଧରିଥିଲା ।
ପଚରାଉଚରାବେଳେ ସେ ବାଘୁଆବୋଲ ଅଞ୍ଚଳରେ ରହୁଥିବା କାଳିଆ ବର୍ମା ଓ ତାଙ୍କ ପୁଅ ଲିପୁ ବର୍ମାଙ୍କ ଠାରୁ ବ୍ରାଉନସୁଗାର ଆଣିଥିବା ପୁଲିସକୁ କହିଛି । ଏହାପରେ ପୁଲିସ ତୁରନ୍ତ ବାଘୁଆବୋଲ ଅଞ୍ଚଳର କାଳିଆ ବର୍ମା ଓ ଲିପୁ ବର୍ମାକୁ ଧରିବା ସହ ତାଙ୍କ ଗାଈ ଗୁହାଳରେ ଥିବା ଏକ ବ୍ୟାଗରୁ ୧୨୫ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଥିଲା । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ଅନୁଗୋଳ ଜିଲ୍ଲାରୁ ପୂର୍ବରୁ ଜବତ ହୋଇଥିବା ବ୍ରାଉନସୁଗାର ପରିମାଣଠାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ