ଟୋକିଓ: ଟୋକିଓ ଅଲମ୍ପିକ୍ସର ପଞ୍ଚମ ଦିନରେ ମଧ୍ୟ ଭାରତର ପଦକ ଟାଲିରେ ଆଉ ପଦକ ଯୋଡି଼ ହୋଇ ପାରିନାହିଁ । ଏପର୍ଯ୍ୟନ୍ତ କେବଳ ମୀରାବାଇ ଚାନୁ ହିଁ ଦେଶ ପାଇଁ ଗୋଟିଏ ରୌପ୍ୟ ପଦକ ଆଣି ଦେଇଛନ୍ତି । ମଙ୍ଗଳବାର କ୍ରମାଗତ ଭାବେ ବିଭିନ୍ନ ଇଭେଣ୍ଟରେ ଖେଳାଳିଙ୍କ ପରାଜର ଖବର ଆସିଥିଲା । କିନ୍ତୁ ଏହାରି ମଧ୍ୟରେ କିଛି ବିଜୟ ପଦକ ଆଶାକୁ ପୁନଃ ଉଜ୍ଜୀବିତ କରିଛି ।
ତେବେ ଆସନ୍ତୁ ନଜର ପକାଇବା Tokyo Olympics ର ପଞ୍ଚମ ଦିନରେ ଭାରତର ଇଭେଣ୍ଟ ଓ ଏହାର ଫଳାଫଳ ଉପରେ ।
ବକ୍ସିଂ (ରାଉଣ୍ଡ ଅଫ୍ ୧୬)- ୬୯ କିଗ୍ରା ମହିଳା ବର୍ଗରେ କ୍ବାର୍ଟର ଫାଇନାଲକୁ ଉନ୍ନିତ ହେଲେ ଲଭଲିନା ବର୍ଗୋହେନ । ନିଜର ଜର୍ମାନ ପ୍ରତିପକ୍ଷଙ୍କୁ ୩.୨ ପଏଣ୍ଟରେ ପରାସ୍ତ କରା ଯୋଗ୍ୟତା ହାସଲ କଲେ ଲଭଲିନା । ପଦକ ଠାରୁ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛନ୍ତି ବର୍ଗୋହେନ ।
ହକି (ପୁରୁଷ)- ସ୍ପେନ୍କୁ ୩-୦ ଗୋଲରେ ପରାସ୍ତ କଲା ଭାରତ
ବ୍ୟାଡମିଣ୍ଟନ (ପୁରୁଷ ଯୁଗ୍ମ ବର୍ଗ) ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡି ଓ ଚିରାଗ ଶେଟ୍ଟି ବେନ ଲେନେ ଓ ସିନ ଭେଣ୍ଡିଙ୍କୁ ୨୧-୧୭, ୨୧-୧୯ରେ ପରାସ୍ତ କଲେ । ସେମାନେ ନିଜର ଅଭିଯାନ ୨ ବିଜୟ ଓ ଗୋଟିଏ ପରାଜୟ ସହ ଅନ୍ତ କଲେ । ନିଜ ଗ୍ରୁପରେ ତୃତୀୟ ସ୍ଥାନରେ ରହି କ୍ବାର୍ଟର ଫାଇନାଲକୁ ଉତିନ୍ନ ହେବାରୁ ଅଳ୍ପକେ ବଞ୍ଚିତ ହେଲେ ।
ଟେବୁଲ ଟେନିସ (ପୁରୁଷ ଏକକ ବର୍ଗ ତୃତୀୟ ପର୍ଯ୍ୟାୟ)- ଶରଥ କମଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସତ୍ତ୍ବେ ମା ଲଙ୍ଗଙ୍କ ଠାରୁ ୧-୪ ରେ ପରାସ୍ତ ହୋଇଛନ୍ତି ।
ଶୁଟିଂ- ୧୦ ମିଟର ଏୟାର ପିଷ୍ଟଲ ମିଶ୍ରିତ ଟିମ (ଯୋଗ୍ୟତା ପର୍ଯ୍ୟାୟ)- ମନୁ ଭାକର ଓ ସୌରଭ ଚୌଧରୀ ପଦକ ପର୍ଯ୍ୟାୟକୁ ଉତିନ୍ନ ହେବାରୁ ବଞ୍ଚିତ । ୩୮୦ ପଏଣ୍ଟ ସହ ୮ ଶୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହିଲେ ଉଭୟ । ସେପଟେ ପ୍ରଥମ ପର୍ଯ୍ୟାୟରେ ହିଁ ଅଭିଶେକ ବର୍ମା ଓ ୟଶସ୍ବିନୀ ଦେଶୱାଲ ପରାସ୍ତ ହୋଇଥିଲେ ।
ଶୁଟିଂ- ୧୦ ମିଟର ଏୟାର ରାଇଫଲ ମିଶ୍ରିତ ଟିମ୍- ଉଭୟ ଭାରତୀୟ ଯୋଡ଼ି ଅଞ୍ଜୁମ/ଦୀପକ ଓ ଏଲାଭେନିଲ/ଦିବ୍ୟାଂଶ ପ୍ରଥମ ପର୍ଯ୍ୟାୟରୁ ହିଁ ଉତିନ୍ନ ହୋଇ ପାରିନଥିଲେ । ଏଲାଭେନିଲ/ଦିବ୍ୟାଂଶ ୧୨ ନମ୍ବରରେ ରହିଥିବା ବେଳେ ୧୮ ନମ୍ବର ସ୍ଥାନରେ ରହିଥିଲେ ଅଞ୍ଜୁମ/ଦୀପକ ।
ନୌଚାଳନା- ବିଷ୍ଣୁ ସରବାନନ ପଞ୍ଚମ One Person Dinghy-Laser ଇଭେଣ୍ଟର ୫ମ ରେସରେ ୨୨ତମ ସ୍ଥାନରେ ରହିଥିବା ବେଳେ ନେତ୍ରା କୁମାନନ ମହିଳା One Person Dinghy-Laser ଇଭେଣ୍ଟର ୬ଷ୍ଠ ରେସରେ ୩୮ତମ ସ୍ଥାନରେ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ