ହାଇଦ୍ରାବାଦ: ଭାରତରେ ଖେଳାଯିବାକୁ ଥିବା FIFA 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ପାଇଁ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ UEFA ପକ୍ଷରୁ ଘୋଷଣା କରାଯାଇଛି ।
ମହାମାରୀ କୋରୋନା ଭାଇରସ ଯୋଗୁଁ, UEFA 17 ବର୍ଷରୁ କମ ମହିଳା ଚମ୍ପିଆନସିପ ବାତିଲ ହୋଇଥିଲା । ଫଳରେ ଶୀର୍ଷ ମାନ୍ୟତା ଆଧାରରେ ବିଶ୍ବକପ ପାଇଁ 3 ଟିମ ଯୋଗ୍ୟତା ହାସଲ କରିଛନ୍ତି । କୋରୋନା ଭାଇରସ ଭଳି କଠିନ ସ୍ଥିତିରେ 55 ସଦସ୍ୟ ଆସୋସିଏସନର କାର୍ଯ୍ୟନିବାହୀ ଅଧିକାରୀଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତି ହୋଇଥିବା, ଏକ ଘୋଷଣାନାମାରେ ଶୀର୍ଷ ପରିଚାଳନା ବୋର୍ଡ ପକ୍ଷରୁ କୁହାଯାଇଛି ।
ଇଣ୍ଡିଆନ ଫୁଟବଲ ଟିମ ମଧ୍ୟ ଟ୍ବିଟ ଯୋଗେଁ ଏନେଇ ଘୋଷଣା କରିଛି । ପୂର୍ବରୁ ଭାରତ, କୋରିଆ ଡିପିଆର, ଜାପାନ ଓ ନ୍ୟୁଜିଲାଣ୍ଡ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ ଆସନ୍ତାବର୍ଷ ଫେବୃଆରୀ 17ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏକ ଭେନ୍ୟୁ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ