ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମୁଖ୍ୟ କୋଚ ପଦ ଛାଡିଲେ ଜଷ୍ଟିନ ଲାଙ୍ଗର । ଇଂଲଣ୍ଡ ବିପକ୍ଷ ଘରୋଇ ଆସେସ ଟେଷ୍ଟ ସିରିଜ ବିଜୟର ଗୋଟିଏ ସପ୍ତାହ ପରେ ଅଷ୍ଟ୍ରେଲିଆ ଦଳରୁ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର । ଚୁକ୍ତି ଅନୁଯାୟୀ ତାଙ୍କ କାର୍ଯ୍ୟକାଳ ଜୁନ ପର୍ଯ୍ୟନ୍ତ ରହିଥିଲା । ଏହାପରେ ଶନିବାର କ୍ରିକେଟ ଅଷ୍ଟ୍ରେଲିଆର ବୋର୍ଡ ବୈଠକ ବସିଥିଲା । ୮ ଘଣ୍ଟା ଧରି ଆଲୋଚନା ପରେ ସିଏ ପକ୍ଷରୁ ୬ ମାସ କାର୍ଯ୍ୟକାଳ ବଢାଇବାକୁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ କ୍ରୋଧିତ ହୋଇ ଜଷ୍ଟିନ ଲାଙ୍ଗର କୋଚ ପଦରୁ ଇସ୍ତଫା ଦେଇଛନ୍ତି ।
ଏହା ପରେ ସିଏ ପକ୍ଷରୁ ମ୍ୟାକଡୋନାଲ୍ଡଙ୍କୁ କାମଚଳା ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ସେ ଦଳର ସିନିୟର ସହକାରୀ କୋଚ ଭାବରେ କାର୍ଯ୍ୟରତ ରହିଛନ୍ତି । ଜଷ୍ଟିନ ଲାଙ୍ଗରଙ୍କ ଇସ୍ତଫାରେ ଅନେକ ପୂର୍ବତନ ଖେଳାଳି ଚକିତ ହୋଇଛନ୍ତି । ଏହାପରେ ସିଏକୁ ସମାଲୋଚନା କରିଛନ୍ତି । ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ଦଳର ବହୁଚର୍ଚ୍ଚିତ ବଲ ଟ୍ୟାମ୍ପରିଂ ଘଟଣା ପରେ ଡୋରେନ ଲେହମାନ ମୁଖ୍ୟ କୋଚ ପଦ ଛାଡିଥିଲେ ଏହା ପରେ ତାଙ୍କ ସ୍ଥାନରେ ଜଷ୍ଟିନ ଲାଙ୍ଗରଙ୍କୁ ଦାୟିତ୍ବ ମିଳିଥିଲା ।
ତାଙ୍କ ପ୍ରଶିକ୍ଷଣରେ କୋଚିଂ ଶୈଳୀରେ ପରିବର୍ତ୍ତନ ଆସିଥିଲା । ଏହାକୁ ନେଇ କିଛି ଖେଳାଳି ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ଘଟଣାକୁ ନେଇ ସିଏ ଓ ଲାଙ୍ଗରଙ୍କ ମଧ୍ୟରେ ବିବାଦ ହୋଇଥିଲା । ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଟି-ଟେଣ୍ଟି ବିଶ୍ବକପ ଚମ୍ପିୟନ ସହ ଆସେସ ଟ୍ରଫି ଜିତି ବିଶ୍ବର ନମ୍ବର ୱାନ ସ୍ଥାନରେ ରହିଛି । ଏହି ସଫଳତ ପରେ ଲଙ୍ଗରଙ୍କ କାର୍ଯ୍ୟକାଳ ବୃଦ୍ଧି ଆଶା କରାଯାଉଥିଲା ।