ମୁମ୍ବାଇ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟ୍କା । ଆଇପିଏଲ ୧୫ ସଂସ୍କରଣର ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ଦ୍ରୁତ ବୋଲର ଦୀପକ ଚହର । ପୂର୍ବରୁ ଆହତ କାରଣରୁ ଚହର ଟିମରେ ସାମିଲ ହୋଇପାରିନଥିବାରୁ ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନାହିଁ । ଫଳରେ ଏହାର ପ୍ରଭାବ CSKର ପ୍ରଦର୍ଶନ ଉପରେ ପଡିଛି । ଷ୍ଟାର ବୋଲରଙ୍କ ଉପସ୍ଥିତିରେ ସୁପରକିଙ୍ଗ୍ସ ଖେଳିଥିବା ପ୍ରଥମ ୪ଟି ମ୍ୟାଚ୍ରେ ପରାଜୟର ମୁହଁ ଦେଖିଛି ।
ସୁପରକିଙ୍ଗ୍ସ ପକ୍ଷରୁ ଏହା ଦାବି କରାଯାଉଥିଲା ଯେ, ନିଲାମୀରେ ୧୪ କୋଟି ଟଙ୍କାରେ କିଣାହୋଇଥିବା ଚହର ଏପ୍ରିଲ ଦ୍ବିତୀୟ ସପ୍ତାହ ବେଳକୁ ଫିଟ୍ ହୋଇଯାଇଥିବେ । ମାତ୍ର ଆଘାତ ଗମ୍ଭୀର ଥିବାରୁ ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ହେବାର ସମ୍ଭାବନା ନାହିଁ । ଏକାଧିକ କ୍ରିକେଟ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପରକିଙ୍ଗ୍ସର ଏହି ବୋଲର ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ରିହାବିଲିଟେସନ ସମୟରେ ଆଘାତ ଲାଗିଛି । ଚହର ପ୍ରାୟ ଏକ ମାସରୁ ଅଧକ ସମୟ ହେଲା NCAରେ ରହିଛନ୍ତି । ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ଚହରଙ୍କ ଗୋଡରେ ଆଘାତ ଲାଗିଥିଲା ପରେ ସେ ସୁସ୍ଥ ହେବାପାଇଁ NCA ଯାଇଥିଲେ ।
ଆରମ୍ଭରୁ ଏହା କୁହାଯାଉଥିଲା ଯେ, ଚହର ଆଇପିଏଲର ଅଧିକାଂଶ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବେ, ମାତ୍ର ସେ ଶୀଘ୍ର ସୁସ୍ଥ ହେବାକାରଣରୁ ଏପ୍ରିଲ ମାସର ଶେଷ ସପ୍ତାହ ସୁଦ୍ଧା ଟିମକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୁପରକିଙ୍ଗ୍ସକୁ ବିଶ୍ବାସ ଥିଲା । ଫେବୃଆରୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍ରେ ବୋଲିଂ ଅଲରାଉଣ୍ଡରଙ୍କ ଗୋଡରେ ଆଘାତ ଲାଗିଥିଲା । ଫଲରେ ନିଜର ସ୍ପେଲ ପୁରା କରିବା ପୂର୍ବରୁ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା । ଏହାପରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ମଧ୍ୟ ଚହର ଖେଳିପାରିନଥିଲେ । ଚହର ଗତବର୍ଷ ଚେନ୍ନାଇ ସୁପରକିଙ୍ଗ୍ସକୁ ଟାଇଟେଲ ବିଜେତା କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ ।
ସେହିପରି ସନରାଇଜର୍ସ ହାଇଦ୍ରାବାଦର ସ୍ପିନର ୱାସିଂଟନ ସୁନ୍ଦର ମଧ୍ୟ ଅତିକମରେ ଆଗାମୀ ଦୁଇଟି ଆଇପିଏଲମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ବୋଲି SRH କୋଚ୍ ଟମ ମୁଡି କହିଛନ୍ତି । ସୋମବାର ଡିୱାଇ ପାଟିଲ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ଖେଳାଯାଇଥିବା ମ୍ୟାଚ୍ରେ ସୁନ୍ଦର ଆହତ ହୋଇଥିଲେ ଓ ନିଜର କୋଟାର ୪ ଓଭର ସଂପୂର୍ଣ୍ଣ କରାପାରିନଥିଲେ । ପାୱର ପ୍ଲେ ଦୁଇ ଓଭର ସମେତ ମୋଟ ୩ ଓଭର ବୋଲିଂ କରି ୧୪ ରନ୍ ବ୍ୟୟ କରିଥିଲେ ମାତ୍ର ୱିକେଟ ଶୂନ୍ୟ ରହିଥିଲେ । କ୍ୟାପଟେନ କେନ୍ ୱିଲିୟମସନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଗୁଜରାଟ ଟାଇଟନ୍ସକୁ ହାଇଦ୍ରାବାଦ ୮ ୱିକେଟରେ ହରାଇଥିଲା ।
PTI