ହାମିଲଟନ: ଆଇସିସି ମହିଳା ବିଶ୍ବକପରେ ଆଜି (ମଙ୍ଗଳବାର) ଭାରତ- ବାଂଲାଦେଶ ମଧ୍ୟରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ବ୍ୟାଟିଂରେ ବିଶେଷ ପ୍ରଦର୍ଶନ କରି ନଥିଲେ ମଧ୍ୟ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ବୋଲରଙ୍କ କମାଲ ପାଇଁ ବାଂଲାଦେଶକୁ ୧୧୦ ରନରେ ପରାସ୍ତ କରିଛି ଭାରତ । ସ୍ନେହା ରାଣାଙ୍କୁ ୪ ୱିକେଟ ମିଳିଛି ।
ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ୫୦ ଓଭରରେ ଦଳ ୭ଟି ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ବାଂଲାଦେଶକୁ ୨୩୦ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ବାଂଲାଦେଶ ବାହିନୀ । ମୁରସିଦା ଖାତୁନ ଓ ଶରମିନ ଅଖତେର ପାଳି ଆରମ୍ଭ କରିଥିଲେ । ଆରମ୍ଭକୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବ୍ୟାଟ୍ସମ୍ୟାନ । ମାତ୍ର ୧୨ ରନରେ ୫ ରନ କରି ରାଜେଶ୍ବରୀ ଗାଏକ୍ବାଡଙ୍କ ବଲରେ ସଅଳ ପାଭିଲିୟନ ଫେରିଥିଲେ ଶରମିନ । ପଛକୁ ପଛୁ ବାଂଲାଦେଶର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ପରେ ପରେ ଫାରଗାନା, ନିଗାର ସୁଲତାନା ଆଉଟ ହୋଇଥିଲେ । ପୁନମ ଯାଦବଙ୍କ ବଲରେ ମୁର୍ଷିଦା ଖାତୁନ ୧୯ ରନ କରି ଆଉଟ ହୋଇଥିଲେ । ରୁମାନା ଅହମ୍ମଦଙ୍କୁ ଆଉଟ କରିଥିଲେ ସ୍ନେହା ରଣା । ଦଳୀୟ ସ୍କୋର ୩୮ ବେଳକୁ ୫ ୱିକେଟ ହରାଇଥିଲା ଦଳ । ଏହା ପରେ ସଙ୍କଟରେ ପଡିଥିଲା ବାଂଲାଦେଶ ।
ଏହାପରେ ସ୍ଥିତି ସମ୍ଭାଳି ଖେଳିଥିଲେ ସଲମାନ ଖାତୁନ ଓ ରିତୁ ମୋନି । ୩୨ ରନ କରି ଝୁଲଣ ଗୋସ୍ବାମୀଙ୍କ ବଲରେ ଆଉଟ ହୋଇଥିଲେ ସଲାମାନ ଖାତୁନ । ରିତୁ ମୋନିଙ୍କ ସାଥ ଦେଇଥିଲେ ଲତା ମଣ୍ଡଳ । ହେଲେ ଆଉ ସ୍ଥିତି ସୁଧୁରି ପାରି ନଥିଲା । ଭାରତୀୟ ବୋଲରଙ୍କ କମାଲ ପାଇଁ ଆଉ ଏକ ୱିକେଟ ହରାଇଥିଲା ବାଂଲାଦେଶ । ୨୪ ରନ କରି ଲତା ପୂଜା ବସ୍ତ୍ରାକାରଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପୁଣି ଫାହିମା ଖାତୁନଙ୍କ ଆକାର ଆଉ ଏକ ୱିକେଟ ପତନ ହୋଇଥିଲା । ଦଳର ବିଜୟ ଆଶା ଏକଦମ ମଉଳି ଯାଇଥିଲା । ୪୦ ଓଭର ବେଳକୁ ନାହିଦା ଓ ରିତୁ ମୋନି ଆଉଟ ହୋଇଥିଲେ । ୧୧୯ ରନରେ ଆଲ ଆଉଟ ହୋଇଯାଇଥିଲା ବାଂଲାଦେଶ । ଫଳରେ କର ବା ମର ମ୍ୟାଚରେ ଏକ ଦମଦାର ବିଜୟ ହାସଲ କରି ନେଇଛି ଭାରତ ।