ହାଇଦ୍ରାବାଦ: ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପରାଜୟ ପରେ ଚୂଡ଼ାନ୍ତ ଏକାଦଶକୁ ନେଇ ପ୍ରଶ୍ନ କଲେ ପୂର୍ବତନ ଭାରତୀୟ କ୍ରିକେଟର । ଅକ୍ଟୋବର ୩୦ ତାରିଖରେ ଟି୨୦ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାଜିତ ହୋଇଛି । ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୧୩୩ ରନ୍ କରିଥିଲା । ଏହି ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୯.୪ ଓଭରେ ହାସଲ କରିଥିଲା ।
ଗତକାଲିର ମ୍ୟାଚ୍ରେ ଭାରତର ବ୍ୟାଟିଂ ୟୁନିଟ୍ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା । ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଲୁଙ୍ଗି ନିଗିଡିଙ୍କ ବଲ୍ରେ ଧରାଶାୟୀ ହୋଇଥିଲା ଟିମ୍ ଇଣ୍ଡିଆର ଟପ୍ ଅର୍ଡର । ଏହାପରେ ଏକ ସାକ୍ଷାତକାରରେ ହରଭଜନ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକଦଶକୁ ନେଇ ଟିପ୍ପଣୀ କରିଛନ୍ତି । ହରଭଜନ କହିଛନ୍ତି, "କେ.ଏଲ୍ ରାହୁଲ ଜଣେ ଭଳ ବ୍ୟାଟର ଆମେ ସମସ୍ତେ ଜାଣିଛେ । ସେ ଜଣେ ମ୍ୟାଚ୍ ୱିନର । କିନ୍ତୁ ସେ ଯଦି ନିଜ ଫର୍ମକୁ ନେଇ ସଂଘର୍ଶ କରୁଛନ୍ତି ତେବ ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତକୁ ଭାରତ ସାମିଲ କରିବା ଦରକାର ।"
ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଦିନେଶ କାର୍ତ୍ତିକ ଆହତ ହୋଇଛନ୍ତି । ଯଦି ତାଙ୍କ ଆଘାତ ଗୁରତର ଥାଏ ତେବେ ଋଷଭ ପନ୍ତଙ୍କୁ ଓପେନିଂ କରାଇବାକୁ ପରାମର୍ଶ ଦେଇଛନ୍ତି ହରଭଜନ । ତାଙ୍କ ମୁତାବକ ଏଭଳି ଭାବରେ ଭାରତକୁ ଟିମ୍ ଇଣ୍ଡିଆକୁ ଓପେନିଂରେ ବାମହାତୀ ଡାହାଣ ହାତୀ ଯୋଡ଼ି ମିଳି ପାରିବ, ଅନୁରୂପ ଭାବରେ ଅଶ୍ବିନଙ୍କ ସ୍ଥାନରେ ଚହଲଙ୍କ ବିଷୟରେ ଚିନ୍ତା କରାଯାଇପାରେ । ରବିଚନ୍ଦ୍ରନ ଅଶ୍ବିନ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୪୩ ରନ୍ ଖର୍ଚ୍ଚ କରିଥିଲେ । ଚହଲ ରନ୍ ଖର୍ଚ୍ଚ କରି ପାରନ୍ତି କିନ୍ତୁ ୱିକେଟ୍ ଦକ୍ଷଲ କରିବା କ୍ଷମତା ତାଙ୍କ ପାଖରେ ରହିଛି ବୋଲି କହିଛନ୍ତି ହରଭଜନ ସିଂହ ।
ସେପଟେ ପୂର୍ବତନ ବିଶ୍ବବିଜେତା ଅଧିନାୟକ କପିଲ ଦେବ ମଧ୍ୟ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସାମିଲ କରାଇବାକୁ ପରାମର୍ଶ ଦେଇଛନ୍ତି । ପୂର୍ବତନ ଟେଷ୍ଟ ବ୍ୟାଟର ୱାସିମ ଜାଫର ଦୀପକ ହୁଡ୍ଡାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ନେଇ ପ୍ରଶ୍ନ କରିଛନ୍ତି । ଯଦି ସେ ବୋଲିଂ କରିବେ ନାହିଁ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତର ପ୍ରଦର୍ଶନ ଅତି ସାଧାରଣ ରହିଥିଲା । ଦଳ ପକ୍ଷରୁ ସାଧାରଣତ ବ୍ୟାଟିଂ ଓ ଫିଲ୍ଡିଂ ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଯାହାଫଳରେ ଗୋଟିଏ ସମୟରେ ଭାରତ ପାଇଁ ମ୍ୟାଚ୍ ବିଜୟର ସୁଯୋଗ ସୃଷ୍ଟି ହୋଇଥିଲା । ତେବେ ମିଲର ମାକ୍ରମଙ୍କ ଶତକୀୟ ଭାଗିଦାରୀ ବଳରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ହାତେଇ ନେଇଥିଲା ।
ଏପଟେ ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି, "ଦିନେଶ କାର୍ତ୍ତିକ ବ୍ୟାଟିଂକୁ ନେଇ ଦ୍ବନ୍ଦ୍ୱରେ ଅଛନ୍ତି । ଅଧିକା ବଲ ମିଳିଲେ ଦିନେଶ ବ୍ୟାଟିଂ ସମୟରେ ସଠିକ ଭାବେ ସଟ ଖେଳିପାରୁ ନାହାଁନ୍ତି । ଏପଟେ କମ ବଲ ମିଳିଲେ ବଡ ସଟ ଖେଳିବାକୁ ଚେଷ୍ଟା କରୁଛନ୍ତି ।"