ମୁମ୍ବାଇ: ଆଇସିସି କ୍ରିକେଟ ମହାକୁମ୍ବ ବିଶ୍ବକପ 2023 ଜାରି ରହିଛି । ଆଜି 23ତମ ଲିଗ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଦକ୍ଷିଣ ଆଫ୍ରିକା ଭଲ ଫର୍ମରେ ରହିଛି । ଭାରତଠୁ ପରାସ୍ତ ହେବା ପରେ ବାଂଲାଦେଶ ଆଜି ବିଧ୍ବଂସୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ସେହିପର ପଏଣ୍ଟ୍ ଟେବୁଲ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଆଜି ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି ।
ଗତ 21 ତାରିଖରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରି ପଏଣ୍ଟ୍ ଟେବୁଲର ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ନେଦରଲାଣ୍ଡ ବିପକ୍ଷରେ ଦଳ ପରାଜିତ ହୋଇଥିଲା । ଏହାକୁ ଏକ ଦଳର ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଥିଲା । ଆଜି ଦଳର ତାର ପଞ୍ଚମ ମୁକାବିଲା ଜିତିବାକୁ ଲକ୍ଷ୍ୟ ରଖିଛି । ଦଳରେ କ୍ବିଣ୍ଟନ ଡି' କକ୍ ଫୁଲ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ କ୍ଲାସେନ୍ ଧୂଆଁଧାର ପାଳି ଖେଳିଥିଲେ । 67 ବଲରେ 109 ରନ୍ କରିଥିଲେ । ଆଜି ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ସେହିପରି ବୋଲିଂରେ ଦକ୍ଷିଣ ଆଫ୍ରିକାର ଗେରାଲ୍ଡ କୋଏଜି, ଲୁଙ୍ଗୁ ଏନ୍ଗିଡି ଓ ଜାନସେନ୍ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଆଜି ସେମାନେ ମଧ୍ୟ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ।
ସେପଟେ ବାଂଲାଦେଶ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଦଳ ଏଯାବତ 4ଟି ମ୍ୟାଚ୍ ଖେଳି ମାତ୍ର ଗୋଟିରେ ବିଜୟ ହାସଲ କରିଛି । ବାଂଲାଦେଶ କେବଳ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିିଛି । ଶେଷ ମ୍ୟାଚ୍ରେ ଭାରତଠୁ ପରାସ୍ତ ହୋଇଥିଲା । ଆଜି ବିଧ୍ବଂସୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ହାସନ ସେନା । ପୂର୍ବ ରେକର୍ଡ ଅନୁସାରେ ଦୁଇ ଦଳ ମଧ୍ୟରେ 24ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଦକ୍ଷିଣ ଆଫ୍ରିକା 18ଟି ଜିତିଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ଏକଦିବସୀୟ 3 ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ଜିତିଥିଲା । ଆଜି ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେଲେ ଦଳକୁ ସବୁ ତ୍ରୁଟି ସୁଧାରି ଖେଳିବାକୁ ହେବ ।
ପିଚ୍ ରିପୋର୍ଟ: ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମର ଏହି ପିଚ୍ରେ ହାଇ ସ୍କୋର୍ ପାଇଁ ଉପଯୋଗୀ ରହିଛି । ଏହି ପିଚ୍ରେ ବାଂଲାଦେଶକୁ ସ୍କୋର୍ କରିବା ସହଜ ହେବ । ଏହି ପିଚ୍ ବ୍ୟାଟକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ଗତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ 399ରନ କରି ଇଂଲଣ୍ଡକୁ ପରାସ୍ତ କରିଥିଲା । ଟସ୍ ବିଜୟୀ ଦଳ ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡି୍ଂ ନିଷ୍ପତ୍ତି ଭୁଲ ଥିବା ପୂର୍ବ ମ୍ୟାଚ୍ରେ ଜୋସ୍ ବଟଲର ସ୍ବୀକାର କରିଥିଲେ । ଆଜିର ମ୍ୟାଚ୍ରେ ଟସ୍ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ଅନୁମାନ କରାଯାଉଛି । ଆଜି ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିବ ନାହିଁ । ମୁମ୍ବାଇରେ ତାପମାତ୍ରା 27ରୁ 30 ଡିଗ୍ରୀ ରହିବ ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଦଳ: କ୍ବିଣ୍ଟନ ଡି' କକ୍, ତେମ୍ବା ବଭୁମା (ଅଧିନାୟକ), ରାସି ଭାନ ଡର ଡୁସେନ, ଆଡେନ ମାର୍କ୍ରମ, ଡେଭିଡ୍ ମିଲର, ହେନ୍ରିକ୍ କ୍ଲାସେନ୍, ମାର୍କୋ ଜାନସେନ, ଗେରାଲ୍ଡ କୋଏଡଜି, କାଗିସୋ ରାବାଡା, କେଶବ ମହାରାଜ, ଲୁଙ୍ଗି ଏନଗିଡି ।
ବାଂଲାଦେଶ ସମ୍ଭାବ୍ୟ ଦଳ: ତନଜିଦ୍ ହାସନ, ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ, ସାକିଲ ଉଲ ହାସନ(ଅଧିନାୟକ), ତେହିଦ ହୃଦୟ, ମୁସଫିକର ରହିମ, ମେହଦି ହାସାନ ମିରାଜ, ମହମୁଦୁଲ୍ଲା, ହସନ ମହମ୍ମୁଦ, ସରିଫୁଲ ଇସ୍ଲାମ୍, ମୁସ୍ତାଫିଜୁର ରେହମାନ ।