କଲମ୍ବୋ: ଅଲରାଉଣ୍ଡର ଥିସାରା ପରେରା ପ୍ରଥମ ଶ୍ରୀଲଙ୍କା ଖେଳାଳି ଭାବେ ଗୋଟିଏ ଓଭରରେ 6ଟି ଛକା ମାରିବାର ରେକର୍ଡ କରିଛନ୍ତି । ଏକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଏହି ବିରଳ ସଫଳତା ହାସଲ କରିଛନ୍ତି ପରେରା ।
31 ବର୍ଷୀୟ ପରେରା ରବିବାର ସ୍ଥାନୀୟ ଆର୍ମୀ ଗ୍ରାଉଣ୍ଡରେ ଏକ ଘରୋଇ ଲିଷ୍ଟ ଏ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଆର୍ମୀ ପକ୍ଷରୁ ଖେଳି 13 ବଲ୍ରୁ ଅପରାଜିତ 52 ରନର ବିସ୍ଫୋରକ ଇଂନିସ ଖେଳିଛନ୍ତି । ଏହି ଇଂନିସରେ 8ଟି ଛକା ସାମିଲ ରହିଛି ଓ ଏହା ଲିଷ୍ଟ ଏ କ୍ରିକେଟରେ ଜଣେ ଶ୍ରୀଲଙ୍କା ଖେଳାଳି ଭାବେ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ । ପୂର୍ବରୁ ବର୍ଷ 2005ରେ ଶ୍ରୀଲଙ୍କା ଅଲରାଉଣ୍ଡର କୌଶଲ୍ୟା ୱିରାରତ୍ନେ 12 ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ ।
ପରେରା 5 ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ଯେତେବେଳେ ଇଂନିସର ମାତ୍ର 20 ବଲ ବାକିଥିଲା । ବିପକ୍ଷ ଦଳ ବ୍ଲୁମଫିଲ୍ଡ କ୍ରିକେଟ ଓ ଆଥଲେଟିକ କ୍ଳବ ପକ୍ଷରୁ ପାର୍ଟଟାଇମ ଅଫ-ସ୍ପିନର ଦିରହନ କୋରେ ପରେରାଙ୍କ ସାମ୍ନାରେ ଥିଲେ ।
ପେଷାଦାର କ୍ରିକେଟ ମ୍ୟାଚରେ ଗୋଟିଏ ଓଭରରେ 6ଟି ବଲ୍ରେ 6ଟି ଛକା ଲଗାଇବାରେ ପରେରା ବିଶ୍ବରେ ନବମ ଖେଳାଳି ହୋଇଛନ୍ତି । ପୂର୍ବରୁ ଗାରଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ , ହର୍ସଲେ ଗିବ୍ସ, ଯୁବରାଜ ସିଂହ, ରସ ହ୍ବାଇଟଲି, ହଜାରେତୁଲ୍ଲା ଜଜାଇ, ଲିଓ କାର୍ଟର ଓ ନିକଟରେ କିରଣ ପୋଲାର୍ଡ ଗୋଟିଏ ଓଭରରେ 6ଟି ଛକା ଲଗାଇସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ