ନୂଆଦିଲ୍ଲୀ: ବିସିସିଆଇର ଆଣ୍ଟି କରପ୍ସନ ୟୁନିଟ ମୁଖ୍ୟ ଭାବରେ ଦାୟିତ୍ବ ନେଲେ ଗୁଜୁରାଟର ପୂର୍ବତନ ପୋଲିସ ଡିଜି। ପୂର୍ବତନ ପୋଲିସ ଡିଜିପି ସବୀର ହୁସେନ ଶେଖାଦମ ଖାଣ୍ଡ୍ବାୱାଲା 2018 ମସିହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବିସିସିଆଇର ଆଣ୍ଟି କରପ୍ସନ ୟୁନିଟ ସହ କାର୍ଯ୍ୟ କରି ଆସୁଥିଲେ। ସେ 1973 ବ୍ୟାଚର ଆଇପିଏସ ଅଧିକାରୀ।
ଏପ୍ରିଲ 9 ତାରିଖରେ ଆରମ୍ଭ ହେବ ଆଇପିଏଲ । ଏହାପୂର୍ବରୁ ସବୀର ହୁସେନ ଶେଖାଦମ ଖାଣ୍ଡ୍ବାୱାଲାଙ୍କୁ ଆଣ୍ଟି କରପ୍ସନ ୟୁନିଟ ମୁଖ୍ୟ ଦାୟିତ୍ବ ଦେଇଛି ବିସିସିଆଇ। ଏହାକୁ ନେଇ ବିସିସିଆଇକୁ ଧନ୍ୟବାଦ ଦେଇଛନ୍ତି ସବୀର ହୁସେନ। ସେ କହିଛନ୍ତି ଯେ, "ମୋତେ ଏହି ଦାୟିତ୍ବ ଦେଇଥିବାରୁ ମୁଁ ବିସିସିଆଇକୁ ଧନ୍ୟବାଦ ଦେଉଛି। ବିଶ୍ବର ସବୁଠାରୁ ଶକ୍ତିଶାଳୀ କ୍ରିକେଟ ବୋର୍ଡ ହେଉଛି ବିସିସିଆଇ। ସୁରକ୍ଷା ମାମଲା ଛଡ଼ା ଏହି ଖେଳ ପ୍ରତି ମୋର ଭଲ ପାଇବା ଆହୁରି ବୃଦ୍ଧି ପାଇବ।"
ଗୁଜୁରାଟର ପୋଲିସ ଡିଜି ଭାବରେ ସବୀର ହୁସେନ 2010 ମସିହାରେ ଅବସର ନେଇଥିଲେ। ଏହାପରେ ସେ 10 ବର୍ଷକାଳ ଏସାର ଗ୍ରୁପ କମ୍ପାନୀର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଛଡ଼ା ସେ କେନ୍ଦ୍ର ସରକାରଙ୍କ ଲୋକପାଳ ସର୍ଚ୍ଚ କମିଟିର ଜଣେ ସଦସ୍ୟ ମଧ୍ୟ ରହି ସାରିଛନ୍ତି। ଆଣ୍ଟି କରପ୍ସନ ୟୁନିଟ ମୁଖ୍ୟ ପଦବୀ ପାଇଁ କୌଣସି ଆବେଦନ ନିଆଯାଇନାହିଁ। ବିସିସିଆଇ ସ୍ବତଃ ଭାବରେ ସବୀର ହୁସେନଙ୍କୁ ଆଣ୍ଟି କରପ୍ସନ ୟୁନିଟ ମୁଖ୍ୟ ଦାୟିତ୍ବ ଦେଇଛି। ଏହି ଦାୟିତ୍ବ ପୂର୍ବରୁ ଭାରତ ଓ ଇଲଣ୍ଡ ମଧ୍ୟରେ ହୋଇଥିବା ଶେଷ ଦିନିକିଆରେ ଯୋଗ ଦେଇଥିଲେ ସବୀର ହୁସେନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ