ଲାହୋର: ମହାମାରୀ କୋରୋନା ଭାଇରସର ପ୍ରଭାବ କମ ହୋଇନାହିଁ । ମାତ୍ର ଜୁଲାଇ ମାସରୁ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ନେଇ ଚିତ୍ର ସ୍ପଷ୍ଟ ହୋଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ 25 ଜଣିଆ ଟିମ ପ୍ରସ୍ତୁତ କରାଯାଇଛି । ଏନେଇ ବୁଧବାର ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ତେବେ ଏହି ଖେଳାଳିଙ୍କୁ ଆଗାମୀ 3 ମାସ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ରଖାଯିବା ନେଇ ନିଷ୍ପତି ହୋଇଛି । ଲୋହୋର ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଜୁନ ମାସ ଆରମ୍ଭରୁ ଖେଳାଳିଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି । ପ୍ରଥମେ କ୍ରିକେଟ ଏକାଡେମୀରେ ଅଭ୍ୟାସ ପରେ ଖେଳାଳିଙ୍କୁ ଗଦ୍ଦାଫି ଷ୍ଟାଡିୟମରେ ଅଭ୍ୟାସ ପାଇଁ ଅନୁମତି ମିଳିବ ।
ତେବେ କୌଣସି ଖେଳାଳି ଅସୁରକ୍ଷିତ ମଣୁଥିଲେ ଇଂଲଣ୍ଡ ଗସ୍ତରୁ ଓହରି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପାକିସ୍ତାନ ଟିମ ଇଂଲଣ୍ଡରେ ପହଞ୍ଚିବା ପରେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ମଧ୍ୟ ଖେଳାଳିଙ୍କ ସୁରକ୍ଷା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବାା ଜଣାପଡିଛି । ଇଂଲଣ୍ଡରେ ପହଞ୍ଚିବାର 14 ଦିନ ପର୍ଯ୍ୟନ୍ତ ସମସ୍ତ ଖେଳାଳିଙ୍କୁ କ୍ବାରେଣ୍ଟିନରେ ରହିବାକୁ ହେବ । ଏନେଇ ଉଭୟ କ୍ରିକେଟ ବୋର୍ଡ ସହମତିରେ ନିଷ୍ପତି ହୋଇଛି ।
ଅଗଷ୍ଟରେ ପାକିସ୍ତାନ ଟିମ ଇଂଲଣ୍ଡ ଗସ୍ତରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ ପରେ 3 ଟିକିଆ ଟି-20 ସିରିଜ ଖେଳିବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ